YouVersion Logo
Search Icon

ଯୋହନ 15

15
ପ୍ରକୃତ ଦ୍ରାକ୍ଷାଲତା ଯୀଶଉ
1“ମୁଁ ପ୍ରକୃତ ଦ୍ରାକ୍ଷାଲତା ଓ ମୋର ପିତା କୃଷକ। 2ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି। 3ମୋ’ଠାରୁ ପାଇଥିବା ଶିକ୍ଷା ଦ୍ୱାରା ତୁମ୍ଭେମାନେ ପରିଷ୍କୃତ ହୋଇସାରିଛ। 4ମୋ’ ସହିତ ସଂଯୁକ୍ତ ହୋଇ ରୁହ। ତା’ହେଲେ ମୁଁ ମଧ୍ୟ ତୁମ ସହିତ ରହିବି। ଶାଖା, ଲତା ସହିତ ସଂଯୁକ୍ତ ହୋଇ ନ ରହିଲେ, ନିଜେ ଫଳ ଧରି ପାରିବ ନାହିଁ, ସେହିପରି ତୁମେ ମୋ’ଠାରେ ନ ରହିଲେ, ଫଳପ୍ରଦ ହୋଇପାରିବ ନାହିଁ।
5“ମୁଁ ଦ୍ରାକ୍ଷାଲତା, ତୁମ୍ଭେମାନେ ଶାଖା। ଯେ ମୋ’ଠାରେ ରହେ ଓ ମୁଁ ଯାହାଠାରେ ଥାଏ, ସେ ପ୍ରଚୁର ଫଳ ଧଶରଣ କରେ, କାରଣ ମୋ’ ବିନା ତୁମେ କିଛି କରିପାରିବ ନାହିଁ। 6ଯେ ମୋ’ଠାରେ ନ ରହେ, ତାକୁ ଗୋଟିଏ କଟାଯାଇଥିବା ଶାଖା ପରି ବାହାରେ ପକାଇ ଦିଆଯାଏ ଓ ତାହା ଶୁଖିଯାଏ। ଏହିପରି ଶାଖାଗୁଡ଼ିକ ଲୋକେ ଏକାଠି କରି ନିଆଁରେ ପକାନ୍ତି ଓ ସେଗୁଡ଼ିକ ପୋଡ଼ିଯାଏ। 7ତୁମେ ଯଦି ମୋ’ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ, ତାହା ପାଇବ। 8ତୁମ୍ଭେମାନେ ପ୍ରଚୁର ଫଳ ଧାରଣ କଲେ, ମୋ’ ପିତାଙ୍କ ମହିମା ପ୍ରକାଶ ପାଇବ ଏବଂ ଏହାଦ୍ୱାରା ତୁମେ ମୋର ପ୍ରକୃତ ଶିଷ୍ୟ ହେବ। 9ମୋତେ ପିତା ଯେପରି ପ୍ରେମ କରନ୍ତି, ତୁମ୍ଭମାନଙ୍କୁ ମୁଁ ଠିକ୍ ସେହିପରି ପ୍ରେମ କରେ। ମୋ’ ପ୍ରେମରେ ତୁମେ ଅବିଚଳିତ ହୋଇ ରହିଥାଅ। 10ମୁଁ ଯେପରି ମୋ’ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ, ମୋ’ ପ୍ରେମରେ ସ୍ଥିର ହୋଇ ରହିବ।
11“ମୁଁ ତୁମ୍ଭମାନଙ୍କୁ ଏହି ଶିକ୍ଷା ଦେଉଛି, ତୁମେ ଯେପରି ମୋର ଆନନ୍ଦ ଲାଭ କରି ଆନନ୍ଦର ପରିପୂର୍ଣ୍ଣତା ଅନୁଭବ କରିବ। 12ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର: ତୁମ ପ୍ରତି ମୋର ଏହି ଆଜ୍ଞା।#ଯୋହନ ୧୩:୩୪; ୧୫:୧୭; ୧ ଯୋହନ ୩:୨୩; ୨ ଯୋହନ ୫। 13ବନ୍ଧୁମାନଙ୍କ ପାଇଁ ନିଜର ପ୍ରାଣ ବିସର୍ଜନ ହିଁ ପ୍ରେମର ଚରମ ନିଦର୍ଶନ। 14ଯଦି ମୋର ଆଜ୍ଞା ପାଳନ କର, ତେବେ ତୁମ୍ଭେମାନେ ମୋର ବନ୍ଧୁ। 15ମୁଁ ତୁମକୁ ଆଉ ଦାସ ବୋଲି କହୁନାହିଁ; କାରଣ ମାଲିକ କଅଣ କରୁଛନ୍ତି, ଦାସ ଜାଣେ ନାହିଁ। ମୁଁ ତୁମ୍ଭମାନଙ୍କୁ ବନ୍ଧୁ ବୋଲି କହୁଛି, କାରଣ ମୋ’ ପିତାଙ୍କଠାରୁ ଯାହା ଯାହା ଶୁଣିଛି, ତାହା ସବୁ ତୁମକୁ ଜଣାଇ ଦେଇଛି। 16ତୁମେ ମୋତେ ମନୋନୀତ କରି ନାହଁ, ମୁଁ ତୁମକୁ ମନୋନୀତ କରିଛି। ତୁମେ ଯେପରି ପ୍ରଚୁର ଫଳ ଧାରଣ କର ଓ ତାହା ସ୍ଥାୟୀ ହୁଏ, ସେଥିପାଇଁ ତୁମ୍ଭମାନଙ୍କୁ ମୁଁ ନିଯୁକ୍ତ କରିଛି। ତେଣୁ ମୋ’ ନାମରେ ଯାହା ମାଗିବ, ମୋ’ ପିତା ତାହା ତୁମ୍ଭମାନଙ୍କୁ ଦେବେ। 17ତେଣୁ ତୁମ୍ଭମାନଙ୍କ ପ୍ରତି ମୋର ବିଶେଷ ଆଦେଶ- ପରସ୍ପରକୁ ପ୍ରେମ କର।
ଜଗତର ଘୃଣା
18“ଯଦି ଜଗତ ତୁମ୍ଭମାନଙ୍କୁ ଘୃଣା କରେ, ମନେରଖ; ସେ ମୋତେ ପ୍ରଥମେ ଘୃଣା କରିଛି। 19ତୁମେ ଯଦି ଜାଗତିକମନା ହୋଇଥା’ନ୍ତ, ତେବେ ଜଗତ ତୁମ୍ଭମାନଙ୍କୁ ନିଜର ଭାବି ପେୟମ କରିଥା’ନ୍ତା; କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରି ଜଗତଠାରୁ ଅଲଗା କରିଦେଇଛି। ସେଥିପାଇଁ ଜଗତ ତୁମକୁ ଘୃଣା କରେ। 20ମୁଁ ଯାହା କହିଥିଲି; ସ୍ମରଣ କର; “ଦାସ ମାଲିକଠାରୁ ବଡ଼ ନୁହେଁ।” ମୋତେ ଯଦି ସେମାନେ ଉତ୍ପୀଡ଼ନ କରିଛନ୍ତି, ତୁମ୍ଭମାନଙ୍କୁ ମଧ୍ୟ ସେପରି କରିବେ। ସେମାନେ ଯଦି ମୋର ଶିକ୍ଷା ଶୁଣିଛନ୍ତି, ତୁମ କଥା ମଧ୍ୟ ସେମାନେ ଶୁଣିବେ।#ମାଥିଉ ୧୦:୨୪; ଲୂକ ୬:୪୦; ଯୋହନ ୧୩:୧୬। 21କିନ୍ତୁ ମୋ’ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି, ଏ କଥା ସେମାନେ ଜାଣନ୍ତି ନାହିଁ। 22ଯଦି ମୁଁ ଆସି ଏସବୁ ବିଷୟ ସେମାନଙ୍କୁ ବୁଝାଇ ନ ଥାଆନ୍ତି, ତେବେ ସେମାନେ ଦେଷୀ ହୋଇ ନ ଥା’ନ୍ତେ; କିନ୍ତୁ ଏବେ ଏହି ପାପାଚରଣ ପାଇଁ ସେମାନେ କୌଣସି ଆଳ ଦେଖାଇ ପାରିବେ ନାହିଁ। 23ଯେ ମୋତେ ଘୃଣା କରେ, ସେ ପିତାଙ୍କୁ ମଧ୍ୟ ଘୃଣା କରେ। 24ମୁଁ ସେମାନଙ୍କ ମଧ୍ୟରେ କୌଣସି ଅଦ୍ଭୁତପୂର୍ବ କାର୍ଯ୍ୟ କରି ନ ଥିଲେ, ସେମାନେ ପାପୀ ବୋଲି ବିବେଚିତ ହୋଇ ନ ଥାଆନ୍ତେ। କିନ୍ତୁ ମୋର ସେ ସବୁ କାର୍ଯ୍ୟ ଦେଖି ମଧ୍ୟ ସେମାନେ ମୋତେ ଓ ମୋ’ ପିତାଙ୍କୁ ଘୃଣା କରୁଛନ୍ତି। 25କିନ୍ତୁ ଏସବୁ ଘଟିବାର ଥିଲା, କାରଣ ତଦ୍ଦ୍ୱାରା ଶାସ୍ତ୍ରରେ ଯାହା ଉଲ୍ଲିଖିତ ଅଛି, ତାହା ସଫଳ ହେଲା: ‘ଅକାରଣରେ ସେମାନେ ମୋତେ ଘୃଣା କଲେ’।#ଗୀତ. ୩୫:୧୯; ୬୯:୪।
26“ସହାୟକ ପବିତ୍ରଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି, ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠଇଦେବି। ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ। 27ତୁମେ ମଧ୍ୟ ମୋ’ ବିଷୟରେ ସାକ୍ଷ୍ୟ ଦେବ, କାରଣ ଆରମ୍ଭରୁ ତୁମେ ସବୁ ମୋ’ ସହିତ ରହିଛ।

Currently Selected:

ଯୋହନ 15: ODCLBSI

Highlight

Share

Copy

None

Want to have your highlights saved across all your devices? Sign up or sign in