YouVersion Logo
Search Icon

ଯୋହନ 9

9
ଜନ୍ମାନ୍ଧକୁ ଦୃଷ୍ଟି ପ୍ରଦାନ
1ଯୀଶୁ ଯାଉଥିବା ସମୟରେ ଜଣେ ଜନ୍ମାନ୍ଧକୁ ଦେଖିଲେ। 2ଆଉ, ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, କିଏ ପାପ କରିବାରୁ ଏ ଅନ୍ଧ ହୋଇ ଜନ୍ମ ହେଲା? ନିଜେ ନା ଏହାର ପିତାମାତା?
3ଯୀଶୁ ଉତ୍ତର ଦେଲେ, “ଏ କିମ୍ବା ଏହାର ପିତାମାତା ପାପ କଲେ ନାହିଁ, କିନ୍ତୁ ଈଶ୍ବରଙ୍କ କର୍ମ ଯେପରି ଏହାଠାରେ ପ୍ରକାଶିତ ହୁଏ, ଏନିମନ୍ତେ ଏହା ଘଟିଅଛି। 4ଦିନ ଥାଉ ଥାଉ ମୋହର ପ୍ରେରଣକର୍ତ୍ତାଙ୍କ କର୍ମ କରିବା ଆମ୍ଭମାନଙ୍କ କର୍ତ୍ତବ୍ୟ; ଯେଉଁ ସମୟରେ କେହି କର୍ମ କରିପାରେ ନାହିଁ, ଏପରି ରାତ୍ରି ଆସୁଅଛି। 5ମୁଁ ଯେପର୍ଯ୍ୟନ୍ତ ଜଗତରେ ଅଛି, ସେପର୍ଯ୍ୟନ୍ତ ମୁଁ ଜଗତର ଜ୍ୟୋତିଃ।”
6ଏହା କହି ସେ ମାଟିରେ ଛେପ ପକାଇ ସେହି ଛେପରେ କାଦୁଅ କଲେ, ଆଉ ତାହାର ଦୁଇ ଆଖିରେ କାଦୁଅ ଲଗାଇଲେ ଏବଂ ତାହାକୁ କହିଲେ, 7ଯାଅ, ଶୀଲୋହ (ଅନୁବାଦ କଲେ, ଏହାର ଅର୍ଥ ପ୍ରେରିତ) “ପୋଖରୀରେ ଧୋଇ ହୁଅ।” ସେଥିରେ ସେ ବାହାରିଯାଇ ଧୋଇ ହେଲା ଓ ଦୃଷ୍ଟି ପାଇ ଚାଲିଗଲା।
8ତେଣୁ ପ୍ରତିବାସୀମାନେ, ପୁଣି, ଯେଉଁମାନେ ତାହାକୁ ପୂର୍ବେ ଜଣେ ଭିକାରୀ ବୋଲି ଦେଖିଥିଲେ, ସେମାନେ ପଚାରିଲେ, ଯେ ବସି ଭିକ ମାଗୁଥିଲା, ଏ କଅଣ ସେହି ନୁହେଁ? 9କେହି କେହି କହିଲେ, ଏ ସେ;
ଆଉ କେହି କେହି କହିଲେ, ନା, ଏ ତାହା ପରି।
ସେ କହିଲା, ମୁଁ ସେହି।
10ସେଥିରେ ସେମାନେ ତାହାକୁ କହିଲେ, ତାହାହେଲେ ତୋର ଆଖି କିପରି ଫିଟିଗଲା?
11ସେ ଉତ୍ତର ଦେଲା, ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେହି ବ୍ୟକ୍ତି କାଦୁଅ କରି ମୋହର ଦୁଇ ଆଖିରେ ଲଗାଇଲେ ଏବଂ ମୋତେ କହିଲେ, ଶୀଲୋହ ପୋଖରୀକୁ ଯାଇ ଧୋଇ ହୁଅ; ତେଣୁ ମୁଁ ବାହାରିଯାଇ ଧୋଇ ହେଲି ଓ ଦୃଷ୍ଟି ପାଇଲି। 12ସେମାନେ ତାହାକୁ ପଚାରିଲେ, ସେ କାହିଁ? ସେ କହିଲା, ମୁଁ ଜାଣେ ନାହିଁ।
13ଯେ ପୂର୍ବରେ ଅନ୍ଧ ଥିଲା, ସେମାନେ ତାହାକୁ ଫାରୂଶୀମାନଙ୍କ ନିକଟକୁ ଆଣିଲେ। 14ଯୀଶୁ ଯେଉଁ ଦିନ କାଦୁଅ କରି ତାହାର ଆଖି ଫିଟାଇ ଦେଇଥିଲେ, ସେହି ଦିନ ବିଶ୍ରାମବାର। 15ଅତଏବ, ସେ କିପରି ଦୃଷ୍ଟି ପାଇଲା, ଏହା ଫାରୂଶୀମାନେ ମଧ୍ୟ ତାହାକୁ ଆଉ ଥରେ ପଚାରିବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲା, ସେ ମୋହର ଆଖିରେ କାଦୁଅ ଲଗାଇଦେଲେ, ପରେ ମୁଁ ଧୋଇ ହେଲି ଓ ଦେଖି ପାରୁଅଛି।
16ତହୁଁ ଫାରୂଶୀମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଲୋକଟା ଈଶ୍ବରଙ୍କ ନିକଟରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ପାଳନ କରୁ ନାହିଁ।
ଆଉ, କେହି କେହି କହିଲେ, ପାପୀ ଲୋକ କିପରି ଏହି ପ୍ରକାର ଆଶ୍ଚର୍ଯ୍ୟକର୍ମସବୁ କରିପାରେ? ଏହିପରି ଭାବେ ସେମାନଙ୍କ ମଧ୍ୟରେ ମତଭେଦ ହେଲା।
17ତେଣୁ ସେମାନେ ଆହୁରି ଥରେ ସେହି ଅନ୍ଧ ଲୋକଟିକୁ ପଚାରିଲେ, ସେ ଯେ ତୋର ଆଖି ଫିଟାଇଲା, ଏଥିରେ ତୁ ତାʼ ବିଷୟରେ କଅଣ କହୁଅଛୁ?
ସେ କହିଲା, ସେ ଜଣେ ଭାବବାଦୀ।
18ସେ ଯେ ଅନ୍ଧ ଥିଲା ଆଉ ଦୃଷ୍ଟି ପାଇଅଛି, ସେହି ଦୃଷ୍ଟି ପାଇଥିବା ଲୋକର ପିତାମାତାଙ୍କୁ ଡାକି ନ ପଚାରିବା ପର୍ଯ୍ୟନ୍ତ କେତେକ ଯିହୁଦୀ ନେତାମାନେ ତାହା ସମ୍ବନ୍ଧରେ ଏହା ବିଶ୍ୱାସ କଲେ ନାହିଁ। 19ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କର ଯେଉଁ ପୁଅ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହିଥାଅ, ଏ କଅଣ ତୁମ୍ଭମାନଙ୍କର ସେହି ପୁଅ? ତାହାହେଲେ ସେ କିପରି ଏବେ ଦେଖୁଅଛି?
20ସେଥିରେ ତାହାର ପିତାମାତା ଉତ୍ତର ଦେଲେ, ଏ ଯେ ଆମ୍ଭମାନଙ୍କର ପୁଅ ଓ ଏ ଯେ ଅନ୍ଧ ହୋଇ ଜନ୍ମ ହୋଇଥିଲା, ଏହା ଆମ୍ଭେମାନେ ଜାଣୁ; 21କିନ୍ତୁ ସେ କିପରି ଏବେ ଦେଖୁଅଛି, ତାହା ଜାଣୁ ନାହୁଁ, କିମ୍ବା କିଏ ତାହାର ଆଖି ଫିଟାଇଦେଲେ, ତାହା ମଧ୍ୟ ଆମ୍ଭେମାନେ ଜାଣୁ ନାହୁଁ; ତାହାକୁ ପଚାରନ୍ତୁ, ସେ ତ ବୟସପ୍ରାପ୍ତ, ସେ ଆପଣା କଥା ଆପେ କହିବ। 22ତାହାର ପିତାମାତା ଯିହୁଦୀମାନଙ୍କୁ ଭୟ କରୁଥିବାରୁ ଏହି ସମସ୍ତ କଥା କହିଲେ, କାରଣ ଯଦି କେହି ତାହାଙ୍କୁ ଖ୍ରୀଷ୍ଟ ବୋଲି ସ୍ୱୀକାର କରେ, ତାହାହେଲେ ସେ ସମାଜଗୃହରୁ ବାହାର କରାଯିବ ବୋଲି ସେଥିପୂର୍ବେ ଯିହୁଦୀମାନେ ଏକମତ ହୋଇଥିଲେ। 23ଅତଏବ, ତାହାର ପିତାମାତା କହିଲେ, ସେ ବୟସପ୍ରାପ୍ତ, ତାହାକୁ ପଚାରନ୍ତୁ।
24ସେଥିରେ ପୂର୍ବରେ ଅନ୍ଧ ଥିବା ଲୋକକୁ ସେମାନେ ଦ୍ୱିତୀୟ ଥର ଡାକି କହିଲେ, ଈଶ୍ବରଙ୍କୁ ଗୌରବ ଦିଅ, ସେ ଲୋକଟା ଯେ ପାପୀ, ଏହା ଆମ୍ଭେମାନେ ଜାଣୁ।
25ସେଥିରେ ସେ ଉତ୍ତର ଦେଲା, ସେ ପାପୀ କି ନୁହେଁ, ମୁଁ ତାହା ଜାଣେ ନାହିଁ; ମୁଁ ଗୋଟିଏ ବିଷୟ ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖି ପାରୁଅଛି।
26ତେଣୁ ସେମାନେ ତାହାକୁ କହିଲେ, ସେ ତୋତେ କଅଣ କଲା? ସେ କିପ୍ରକାରେ ତୋର ଆଖି ଫିଟାଇଦେଲା?
27ସେ ସେମାନଙ୍କୁ ଉତ୍ତର ଦେଲା, ମୁଁ କହିସାରିଲିଣି, ଆଉ ଆପଣମାନେ ଶୁଣିଲେ ନାହିଁ; କାହିଁକି ଆଉ ଥରେ ଶୁଣିବାକୁ ଇଚ୍ଛା କରୁଅଛନ୍ତି? ଆପଣମାନେ ମଧ୍ୟ କଅଣ ତାହାଙ୍କର ଶିଷ୍ୟ ହେବାକୁ ଇଚ୍ଛା କରୁଅଛନ୍ତି?
28ସେଥିରେ ସେମାନେ ତାହାକୁ ଗାଳି ଦେଇ କହିଲେ, ତୁ ତାହାର ଶିଷ୍ୟ, କିନ୍ତୁ ଆମ୍ଭେମାନେ ମୋଶାଙ୍କର ଶିଷ୍ୟ। 29ଆମ୍ଭେମାନେ ଜାଣୁ ଯେ, ଈଶ୍ବର ମୋଶାଙ୍କୁ କଥା କହିଅଛନ୍ତି, କିନ୍ତୁ ଏ ଲୋକଟା କେଉଁଠାରୁ ଆସିଅଛି, ତାହା ଆମ୍ଭେମାନେ ଜାଣୁ ନାହିଁ।
30ସେହି ଲୋକଟି ସେମାନଙ୍କୁ ଉତ୍ତର ଦେଲା, ସେ ମୋହର ଆଖି ଫିଟାଇଦେଲେ, ଆଉ ସେ କେଉଁଠାରୁ ଆସିଅଛନ୍ତି, ତାହା ଆପଣମାନେ ଜାଣନ୍ତି ନାହିଁ, ଏ ତ ଆଶ୍ଚର୍ଯ୍ୟ କଥା। 31ଈଶ୍ବର ଯେ ପାପୀମାନଙ୍କ କଥା ଶୁଣନ୍ତି ନାହିଁ, ଏହା ଆମ୍ଭେମାନେ ଜାଣୁ, କିନ୍ତୁ ଯଦି କେହି ଈଶ୍ବରଭକ୍ତ ହୋଇ ତାହାଙ୍କର ଇଚ୍ଛା ସାଧନ କରେ, ତାହାହେଲେ ସେ ତାହାର କଥା ଶୁଣନ୍ତି। 32କେହି ଯେ ଜନ୍ମାନ୍ଧର ଚକ୍ଷୁ ଫିଟାଇଦେଲା, ଏହା ତ କଦାପି ଶୁଣାଯାଇ ନ ଥିଲା। 33ଏ ଈଶ୍ବରଙ୍କଠାରୁ ଆସି ନ ଥିଲେ କିଛି କରିପାରନ୍ତେ ନାହିଁ।
34ସେମାନେ ତାହାକୁ ଉତ୍ତର ଦେଲେ, ତୁ ତ ପୁରା ପାପରେ ଜନ୍ମ ହେଲୁ, ଆଉ ତୁ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛୁ? ସେଥିରେ ସେମାନେ ତାହାକୁ ବାହାର କରିଦେଲେ।
35ସେମାନେ ଯେ ତାହାକୁ ବାହାର କରିଦେଇଅଛନ୍ତି, ଯୀଶୁ ଏହା ଶୁଣି ତାହାର ଦେଖା ପାଇ କହିଲେ, “ତୁମ୍ଭେ କଅଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଅଛ?”
36ସେ ଉତ୍ତର ଦେଲା, ହେ ପ୍ରଭୁ, ସେ କିଏ କହନ୍ତୁ, ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିବି?
37ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖିଅଛ, ଆଉ ଯେ ତୁମ୍ଭ ସାଙ୍ଗରେ କଥା କହୁଅଛନ୍ତି, ସେ ସେହି।”
38ସେଥିରେ ସେ କହିଲା, ପ୍ରଭୁ ମୁଁ ବିଶ୍ୱାସ କରୁଅଛି; ଆଉ, ସେ ତାହାଙ୍କୁ ପ୍ରଣାମ କଲା।
39ପୁଣି, ଯୀଶୁ କହିଲେ, “ଦେଖୁ ନ ଥିବା ଲୋକେ ଯେପରି ଦେଖନ୍ତି ଓ ଦେଖୁଥିବା ଲୋକେ ଯେପରି ଅନ୍ଧ ହୁଅନ୍ତି, ଏହି ବିଚାର ନିମନ୍ତେ ମୁଁ ଜଗତକୁ ଆସିଅଛି।”
40ଫାରୂଶୀମାନଙ୍କ ମଧ୍ୟରୁ ଯେଉଁମାନେ ତାହାଙ୍କ ସାଙ୍ଗରେ ଥିଲେ, ସେମାନେ ଏହା ଶୁଣି ତାହାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ କଅଣ ଅନ୍ଧ?
41ଯୀଶୁ ସେମାନଙ୍କୁ କହିଲେ, “ଯଦି ଅନ୍ଧ ହୋଇଥାଆନ୍ତ, ତାହାହେଲେ ତୁମ୍ଭମାନଙ୍କର ପାପ ନ ଥାଆନ୍ତା, କିନ୍ତୁ ଆମ୍ଭେମାନେ ଦେଖୁଅଛୁ, ଏହା ଏବେ କହୁଅଛ; ତୁମ୍ଭେମାନେ ପାପରେ ରହୁଅଛ।”

Currently Selected:

ଯୋହନ 9: IRVOry

Highlight

Share

Copy

None

Want to have your highlights saved across all your devices? Sign up or sign in