Logo de YouVersion
Ícono Búsqueda

ଯୋହନ 17

17
ଯୀଶୁଙ୍କ ମହାଯାଜକୀୟ ପ୍ରାର୍ଥନା
1ଯୀଶୁ ଏହିସମସ୍ତ କଥା କହି ସ୍ଵର୍ଗଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି କହିଲେ, ପିତଃ, ସମୟ ଉପସ୍ଥିତ ହେଲାଣି; ତୁମ୍ଭର ପୁତ୍ରଙ୍କୁ ମହିମାନ୍ଵିତ କର, ଯେପରି ପୁତ୍ର ତୁମ୍ଭକୁ ମହିମାନ୍ଵିତ କରନ୍ତି,
2ଯେପ୍ରକାର ତୁମ୍ଭେ ତାହାଙ୍କୁ ଯେଉଁ ଯେଉଁ ଲୋକମାନଙ୍କୁ ଦେଇଅଛ, ସେମାନଙ୍କୁ ଅନ; ଜୀବନ ଦେବା ନିମନ୍ତେ ତାହାଙ୍କୁ ସମସ୍ତ ମର୍ତ୍ତ୍ୟ ଉପରେ ଅଧିକାର ଦେଲ।
3ଆଉ, ଏକମାତ୍ର ସତ୍ୟ ଈଶ୍ଵର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନ; ଜୀବନ ଅଟେ।
4ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ଵିତ କରିଅଛି।
5ଆଉ ଏବେ, ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯେଉଁ ମହିମା ଥିଲା, ତଦ୍ଦ୍ଵାରା ତୁମ୍ଭେ ମୋତେ ତୁମ୍ଭ ସହିତ ମହିମାନ୍ଵିତ କର।
6ତୁମ୍ଭେ ମୋତେ ଜଗତ ମଧ୍ୟରୁ ଯେଉଁ ଲୋକମାନଙ୍କୁ ଦାନ କଲ, ମୁଁ ସେମାନଙ୍କ ନିକଟରେ ତୁମ୍ଭର ନାମ ପ୍ରକାଶ କରିଅଛି; ସେମାନେ ତୁମ୍ଭର ଥିଲେ ଓ ତୁମ୍ଭେ ସେମାନଙ୍କୁ ମୋତେ ଦାନ କଲ, ଆଉ ସେମାନେ ତୁମ୍ଭର ବାକ୍ୟ ପାଳନ କରିଅଛନ୍ତି।
7ତୁମ୍ଭେ ମୋତେ ଯାହା ଯାହା ଦାନ କରିଅଛ, ସେହିସବୁ ଯେ ତୁମ୍ଭଠାରୁ ଉତ୍ପନ୍ନ, ଏହା ସେମାନେ ଏବେ ବୁଝିଅଛନ୍ତି;
8କାରଣ ତୁମ୍ଭେ ମୋତେ ଯେସମସ୍ତ ବାକ୍ୟ ଦାନ କଲ, ମୁଁ ସେମାନଙ୍କୁ ସେହିସବୁ ଦାନ କରିଅଛି, ଆଉ ସେମାନେ ଗ୍ରହଣ କରିଅଛନ୍ତି, ପୁଣି ମୁଁ ଯେ ତୁମ୍ଭ ନିକଟରୁ ଆସିଅଛି, ତାହା ସତ୍ୟ ରୂପେ ଜାଣିଅଛନ୍ତି ଓ ତୁମ୍ଭେ ମୋତେ ପ୍ରେରଣ କରିଅଛ ବୋଲି ବିଶ୍ଵାସ କରିଅଛନ୍ତି।
9ମୁଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି; ଜଗତ ନିମନ୍ତେ ପ୍ରାର୍ଥନା କରୁ ନାହିଁ, କିନ୍ତୁ ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛି, କାରଣ ସେମାନେ ତୁମ୍ଭର;
10ଯାହା ଯାହା ମୋହର, ସେହିସବୁ ତୁମ୍ଭର, ପୁଣି ଯାହା ଯାହା ତୁମ୍ଭର, ସେହିସବୁ ମୋହର; ଆଉ, ମୁଁ ସେମାନଙ୍କଠାରେ ମହିମାନ୍ଵିତ ହୋଇଅଛି।
11ମୁଁ ଆଉ ଏ ଜଗତରେ ରହୁ ନାହିଁ, କିନ୍ତୁ ଏମାନେ ଜଗତରେ ରହୁଅଛନ୍ତି; ପୁଣି, ମୁଁ ତୁମ୍ଭ ନିକଟକୁ ଯାଉଅଛି। ପବିତ୍ର ପିତଃ, ତୁମ୍ଭ ନାମରେ ସେମାନଙ୍କୁ ରକ୍ଷା କର (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଯେପରି ଆମ୍ଭେମାନେ ଯେପ୍ରକାର ଏକ, ସେମାନେ ସେପ୍ରକାର ଏକ ହୁଅନ୍ତି।
12ସେମାନଙ୍କ ସହିତ ରହୁଥିବା ସମୟରେ ମୁଁ ସେମାନଙ୍କୁ ତୁମ୍ଭ ନାମରେ ରକ୍ଷା କରି ଆସିଅଛି (ଯେଉଁ ନାମ ତୁମ୍ଭେ ମୋତେ ଦେଇଅଛ), ଆଉ ମୁଁ ସେମାନଙ୍କୁ ସାବଧାନରେ ରକ୍ଷା କରିଅଛି ଓ ଧର୍ମଶାସ୍ତ୍ର ଯେପରି ସଫଳ ହୁଏ, ଏଥିନିମନ୍ତେ ବିନାଶର ସନ୍ତାନ ବିନା ସେମାନଙ୍କ ମଧ୍ୟରୁ ଜଣେ କେହି ବିନଷ୍ଟ ହୋଇ ନାହିଁ।
13କିନ୍ତୁ ଏବେ ମୁଁ ତୁମ୍ଭ ନିକଟକୁ ଯାଉଅଛି, ଆଉ ସେମାନଙ୍କ ଅନ୍ତରେ ମୋହର ଆନନ୍ଦ ଯେପରି ସମ୍ପୂର୍ଣ୍ଣ ହୁଏ, ସେଥିନିମନ୍ତେ ଜଗତରେ ଥାଉ ଥାଉ ମୁଁ ଏହାସବୁ କହୁଅଛି।
14ମୁଁ ସେମାନଙ୍କୁ ତୁମ୍ଭର ବାକ୍ୟ ଦାନ କରିଅଛି, ଆଉ ଜଗତ ସେମାନଙ୍କୁ ଘୃଣା କରିଅଛି, କାରଣ ମୁଁ ଯେପରି ଏ ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେହିପରି ଏହି ଜଗତରୁ ଉତ୍ପନ୍ନ ନୁହନ୍ତି।
15ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁ ନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି।
16ମୁଁ ଯେପରି ଜଗତରୁ ଉତ୍ପନ୍ନ ନୁହେଁ, ସେମାନେ ସେପରି ଜଗତରୁ ଉତ୍ପନ୍ନ ନୁହନ୍ତି।
17ସତ୍ୟ ଦ୍ଵାରା ସେମାନଙ୍କୁ ପବିତ୍ର କର, ତୁମ୍ଭର ବାକ୍ୟ ତ ସତ୍ୟ।
18ତୁମ୍ଭେ ମୋତେ ଯେପରି ଜଗତକୁ ପ୍ରେରଣ କରିଅଛ, ମୁଁ ମଧ୍ୟ ସେମାନଙ୍କୁ ସେପରି ଜଗତକୁ ପ୍ରେରଣ କରିଅଛି।
19ଆଉ, ସେମାନେ ସୁଦ୍ଧା ଯେପରି ସତ୍ୟ ଦ୍ଵାରା ପବିତ୍ରୀକୃତ ହୁଅନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ଆପଣାକୁ ପବିତ୍ର କରୁଅଛି।
20ମୁଁ କେବଳ ଏମାନଙ୍କ ନିମନ୍ତେ ପ୍ରାର୍ଥନା କରୁ ନାହିଁ, ମାତ୍ର ଏମାନଙ୍କ ବାକ୍ୟ ଦ୍ଵାରା ଯେଉଁମାନେ ମୋʼଠାରେ ବିଶ୍ଵାସ କରନ୍ତି, ସେମାନଙ୍କ ନିମନ୍ତେ ସୁଦ୍ଧା ପ୍ରାର୍ଥନା କରୁଅଛି,
21ଯେପରି ସେମାନେ ସମସ୍ତେ ଏକ ହୁଅନ୍ତି; ହେ ପିତା, ତୁମ୍ଭେ ଯେପ୍ରକାରେ ମୋʼଠାରେ ଅଛ ଓ ମୁଁ ତୁମ୍ଭଠାରେ ଅଛି, ସେମାନେ ମଧ୍ୟ ସେପ୍ରକାରେ ଆମ୍ଭମାନଙ୍କଠାରେ ରହନ୍ତୁ, ଯେପରି ତୁମ୍ଭେ ମୋତେ ପ୍ରେରଣ କଲ ବୋଲି ଜଗତ ବିଶ୍ଵାସ କରେ।
22ଆଉ, ତୁମ୍ଭେ ମୋତେ ଯେଉଁ ମହିମା ଦେଇଅଛ, ମୁଁ ସେମାନଙ୍କୁ ତାହା ଦେଇଅଛି, ଯେପରି ଆମ୍ଭେମାନେ ଯେପ୍ରକାରେ ଏକ, ସେମାନେ ସେପ୍ରକାରେ ଏକ ହୁଅନ୍ତି;
23ମୁଁ ସେମାନଙ୍କଠାରେ, ଆଉ ତୁମ୍ଭେ ମୋʼଠାରେ, ଯେପରି ସେମାନେ ସିଦ୍ଧ ହୋଇ ଏକ ହୁଅନ୍ତି, ଯେପରି ଜଗତ ବୁଝିବ ଯେ, ତୁମ୍ଭେ ମୋତେ ପ୍ରେରଣ କଲ, ପୁଣି ମୋତେ ଯେପ୍ରକାରେ ପ୍ରେମ କଲ, ସେମାନଙ୍କୁ ମଧ୍ୟ ସେପ୍ରକାରେ ପ୍ରେମ କଲ।
24ହେ ପିତା, ତୁମ୍ଭେ ମୋତେ ଯେଉଁମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ, ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ ଓ ଜଗତର ପତ୍ତନ ପୂର୍ବେ ତୁମ୍ଭେ ମୋତେ ପ୍ରେମ କରିଥିବାରୁ ମୋତେ ଯେଉଁ ମହିମା ଦେଇଅଛ, ମୋହର ସେହି ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା।
25ହେ ଧାର୍ମିକ ପିତା, ଜଗତ ତୁମ୍ଭକୁ ଜାଣି ନାହିଁ, କିନ୍ତୁ ମୁଁ ତୁମ୍ଭକୁ ଜାଣିଅଛି; ଆଉ, ତୁମ୍ଭେ ଯେ ମୋତେ ପ୍ରେରଣ କଲ, ତାହା ଏମାନେ ଜାଣିଅଛନ୍ତି;
26ପୁଣି, ତୁମ୍ଭେ ମୋତେ ଯେଉଁ ପ୍ରେମରେ ପ୍ରେମ କଲ, ତାହା ଯେପରି ସେମାନଙ୍କଠାରେ ଥାଏ ଓ ମୁଁ ସେମାନଙ୍କ-ଠାରେ ରହେ, ଏନିମନ୍ତେ ମୁଁ ସେମାନଙ୍କୁ ତୁମ୍ଭ ନାମ ଜଣାଇଅଛି ଓ ଜଣାଇବି।

Actualmente seleccionado:

ଯୋହନ 17: ODIAOV-BSI

Destacar

Compartir

Copiar

None

¿Quieres guardar tus resaltados en todos tus dispositivos? Regístrate o Inicia sesión