ଆଦି ପୁସ୍ତକ 23
23
ସାରାଙ୍କ ମୃତ୍ୟୁ
1ସାରାର ଆୟୁର ପରିମାଣ ଶହେ ସତାଇଶ ବର୍ଷ ଥିଲା; ସାରାର ଆୟୁ ଏତେ ବର୍ଷ ପରିମିତ।
2ଅନନ୍ତର ସାରା କିଣାନ ଦେଶସ୍ଥ କିରୀୟଥ୍-ଅର୍ବରେ, ଅର୍ଥାତ୍, ହିବ୍ରୋଣରେ ମଲା। ଏଣୁ ଅବ୍ରହାମ ସାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ।
3ଅନନ୍ତର ଅବ୍ରହାମ ଆପଣା ମୃତା (ଭାର୍ଯ୍ୟା) ନିକଟରୁ ଉଠି ଯାଇ ହେତର ସନ୍ତାନମାନଙ୍କୁ କହିଲେ,
4ମୁଁ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ଅଟେ; ତୁମ୍ଭମାନଙ୍କ ମଧ୍ୟରେ ମୋତେ କବର ସ୍ଥାନର ଅଧିକାର ଦିଅ, ତହିଁରେ ମୁଁ ମୋʼ ଦୃଷ୍ଟିର ଅଗୋଚରରେ ମୋʼ ମୃତକୁ କବର ଦେବି।
5ତହୁଁ ହେତର ସନ୍ତାନମାନେ ଅବ୍ରହାମଙ୍କୁ ଉତ୍ତର କଲେ, ହେ ପ୍ରଭୁ, ଆମ୍ଭମାନଙ୍କ କଥା ଶୁଣନ୍ତୁ;
6ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।
7ସେତେବେଳେ ଅବ୍ରହାମ ଉଠି ତଦ୍ଦେଶୀୟ ଲୋକମାନଙ୍କୁ, ଅର୍ଥାତ୍, ହେତର ସନ୍ତାନମାନଙ୍କୁ ପ୍ରଣାମ କଲେ।
8ପୁଣି କଥୋପକଥନ କରି କହିଲେ, ମୋʼ ଦୃଷ୍ଟିର ବାହାରେ ମୋʼ ମୃତା ଭାର୍ଯ୍ୟାକୁ କବରରେ ରଖିବାକୁ ଯେବେ ଆପଣମାନଙ୍କର ସମ୍ମତି ହୁଏ, ତେବେ ମୋʼ କଥା ଶୁଣନ୍ତୁ; ଆପଣମାନେ ମୋʼ ନିମନ୍ତେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କରନ୍ତୁ।
9ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍ପେଲାରେ ତାଙ୍କ କ୍ଷେତ୍ରପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।
10ସେତେବେଳେ ଇଫ୍ରୋଣ ହେତର ସନ୍ତାନମାନଙ୍କ ମଧ୍ୟରେ ବସିଥିଲା; ତେଣୁ ହେତୀୟ ଇଫ୍ରୋଣ ଆପଣା ନଗର-ଦ୍ଵାରରେ ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା,
11ପ୍ରଭୋ, ସେପରି ହେବ ନାହିଁ, ମୋʼ କଥା ଶୁଣନ୍ତୁ; ମୁଁ ଆପଣଙ୍କୁ ସେହି ସ୍ଥାନ ଓ ତନ୍ମଧ୍ୟସ୍ଥିତ ଗୁହା ଦେଲି; ମୁଁ ସ୍ଵବଂଶୀୟ ସନ୍ତାନମାନଙ୍କ ସାକ୍ଷାତରେ ତାହା ଆପଣଙ୍କୁ ଦେଲି, ଆପଣ ନିଜ ମୃତକୁ କବର ଦେଉନ୍ତୁ।
12ତହିଁରେ ଅବ୍ରହାମ ସେହି ଦେଶୀୟ ଲୋକମାନଙ୍କ ଅଗ୍ରତେ ପ୍ରଣାମ କଲେ।
13ପୁଣି ସେହି ଦେଶୀୟ ଲୋକମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣକୁ କହିଲେ, ଆପଣ ଯେବେ ମୋତେ ତାହା ଦେବେ, ତେବେ ନିବେଦନ କରୁଅଛି, ମୋʼ କଥା ଶୁଣନ୍ତୁ; ମୁଁ ସେହି କ୍ଷେତ୍ରର ମୂଲ୍ୟ ଦେଉଅଛି, ଆପଣ ତାହା ଗ୍ରହଣ କରନ୍ତୁ; ତହିଁ ଉତ୍ତାରେ ମୁଁ ସେହି ସ୍ଥାନରେ ମୋର ମୃତକୁ କବର ଦେବି।
14ତହିଁରେ ଇଫ୍ରୋଣ ଅବ୍ରହାମଙ୍କୁ ଉତ୍ତର ଦେଇ କହିଲା,
15ପ୍ରଭୋ, ମୋʼ କଥା ଶୁଣନ୍ତୁ; ଭୂମି ଖଣ୍ତକର ମୂଲ୍ୟ ତ ଚାରିଶହ ଶେକଲ ରୂପା, ଆପଣଙ୍କ ଓ ଆମ୍ଭ ମଧ୍ୟରେ ତାହା କେତେ ମାତ୍ର? ଏଣୁକରି ଆପଣ ନିଜ ମୃତକୁ କବର ଦେଉନ୍ତୁ।
16ଇଫ୍ରୋଣର ଏହି କଥା ଶୁଣି ଅବ୍ରହାମ ହେତୀୟ ସନ୍ତାନମାନଙ୍କ କର୍ଣ୍ଣଗୋଚରରେ ଇଫ୍ରୋଣ ଦ୍ଵାରା ଉକ୍ତ ସଂଖ୍ୟାନୁସାରେ ତତ୍କାଳୀନ ବଣିକମାନଙ୍କ ମଧ୍ୟରେ ପ୍ରଚଳିତ ଚାରିଶହ ଶେକଲ ରୂପା ତୌଲି ଇଫ୍ରୋଣକୁ ଦେଲେ।
17ଏହେତୁ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲାରେ ଇଫ୍ରୋଣର ଯେଉଁ କ୍ଷେତ୍ର ଥିଲା, ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହା ଓ ତହିଁର ଚତୁଃସୀମାନ୍ତର୍ଗତ ବୃକ୍ଷସମୂହ,
18ଏହି ସବୁରେ ହେତର ସନ୍ତାନମାନଙ୍କ ସାକ୍ଷାତରେ, ଅର୍ଥାତ୍, ତାହାର ନଗର-ଦ୍ଵାରରେ ପ୍ରବେଶକାରୀ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କର ସ୍ଵତ୍ଵାଧିକାର ସ୍ଥିର କରାଗଲା।
19ଅନନ୍ତର ଅବ୍ରହାମ ମମ୍ରିର ପୂର୍ବବର୍ତ୍ତୀ ମକ୍ପେଲା କ୍ଷେତ୍ରସ୍ଥିତ ଗୁହାରେ ଆପଣା ଭାର୍ଯ୍ୟା ସାରାକୁ କବର ଦେଲେ। ସେହି ସ୍ଥାନ କିଣାନ ଦେଶସ୍ଥ ହିବ୍ରୋଣ୍।
20ଏହିରୂପେ କବର ସ୍ଥାନର ଅଧିକାର ନିମନ୍ତେ ସେହି କ୍ଷେତ୍ର ଓ ତନ୍ମଧ୍ୟସ୍ଥିତ ଗୁହାରେ ଅବ୍ରହାମଙ୍କର ଅଧିକାର ହେତର ସନ୍ତାନମାନଙ୍କ ଦ୍ଵାରା ସ୍ଥିରୀକୃତ ହେଲା।
Currently Selected:
ଆଦି ପୁସ୍ତକ 23: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.