YouVersion Logo
Search Icon

ମାର୍କ 8

8
ଚାରିହଜାର ଲୋକଙ୍କୁ ଭୋଜନ କରାଇବା
1ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ,
2ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ।
3ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।
4ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜ୍ଜନ ସ୍ଥାନରେ କିଏ କେଉଁଠାରୁ ରୋଟୀ ଆଣି ଏମାନଙ୍କୁ ତୃପ୍ତ କରି ପାରିବ?
5ଯୀଶୁ ସେମାନଙ୍କୁ ପଚାରିଲେ, ତୁମ୍ଭମାନଙ୍କ ପାଖରେ କେତୋଟି ରୋଟୀ ଅଛି? ସେମାନେ କହିଲେ, ସାତୋଟି।
6ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ, ସେ ସେହି ସାତୋଟି ରୋଟୀ ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ।
7ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ।
8ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ବେତା ବଳକା ଭଙ୍ଗା ରୋଟୀ ଉଠାଇଲେ।
9ସେମାନେ ପ୍ରାୟ ଚାରିହଜାର ଲୋକ ଥିଲେ।
10ତାହାପରେ ସେ ସେମାନଙ୍କୁ ବିଦାୟ ଦେଲେ ଓ ସେହିକ୍ଷଣି ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍ମନୂଥା ଅଞ୍ଚଳକୁ ଆସିଲେ।
ଫାରୂଶୀମାନଙ୍କ ଚିହ୍ନର ଦାବୀ
11ପରେ ଫାରୂଶୀମାନେ ବାହାରି ଆସି ତାହାଙ୍କ ସାଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ ଓ ତାହାଙ୍କୁ ପରୀକ୍ଷା କରିବା ଅଭିପ୍ରାୟରେ ଆକାଶରୁ ଗୋଟିଏ ଚିହ୍ନ ମାଗିଲେ।
12ସେଥିରେ ଯୀଶୁ ଆତ୍ମାରେ ବ୍ୟଥିତ ହୋଇ ଦୀର୍ଘ ନିଶ୍ଵାସ ଛାଡ଼ି କହିଲେ, ବର୍ତ୍ତମାନ ପୁରୁଷ କାହିଁକି ଚିହ୍ନ ଅନ୍ଵେଷଣ କରୁଅଛି? ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ବର୍ତ୍ତମାନ ପୁରୁଷକୁ କୌଣସି ଚିହ୍ନ ଦିଆଯିବ ନାହିଁ।
13ଆଉ, ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଆର ପାରିକି ବାହାରିଗଲେ।
ହେରୋଦ ଓ ଫାରୁଶୀଙ୍କର ଖମୀର
14ସେତେବେଳେ ଶିଷ୍ୟମାନେ ରୋଟୀ ନେବାକୁ ପାସୋରିଗଲେ; ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ମାତ୍ର ରୋଟୀ ଥିଲା।
15ପରେ ଯୀଶୁ ସେମାନଙ୍କୁ ଦୃଢ଼ ଆଜ୍ଞା ଦେଲେ, ସତର୍କ ହୁଅ, ଫାରୂଶୀମାନଙ୍କ ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୋଇଥାଅ।
16ସେଥିରେ ସେମାନେ ପରସ୍ପର ତର୍କବିତର୍କ କରି କହିବାକୁ ଲାଗିଲେ, ଆମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି ସେ ଏହା କହୁଅଛନ୍ତି।
17ଯୀଶୁ ତାହା ଜାଣି ସେମାନଙ୍କୁ କହିଲେ, ତୁମ୍ଭମାନଙ୍କ ପାଖରେ ରୋଟୀ ନାହିଁ ବୋଲି କାହିଁକି ପରସ୍ପର ତର୍କବିତର୍କ କରୁଅଛ? ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ଜାଣୁ ନାହଁ କି ବୁଝୁ ନାହଁ?
18ତୁମ୍ଭମାନଙ୍କ ହୃଦୟ କଅଣ ଜଡ଼ ହୋଇ ରହିଅଛି? ଚକ୍ଷୁ ଥାଉ ଥାଉ କି ଦେଖୁ ନାହଁ? ପୁଣି, କର୍ଣ୍ଣ ଥାଉ ଥାଉ କି ଶୁଣୁ ନାହଁ?
19ସେହି ପାଞ୍ଚହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ପାଞ୍ଚୋଟି ରୋଟୀ ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ଟୋକାଇ ଭଙ୍ଗା ଖଣ୍ତ ଉଠାଇ ନେଇଥିଲ, ତାହା କି ତୁମ୍ଭମାନଙ୍କର ସ୍ମରଣ ନାହିଁ? ସେମାନେ ତାହାଙ୍କୁ କହିଲେ, ବାର ଟୋକାଇ।
20ଆଉ, ସେହି ଚାରିହଜାର ଲୋକଙ୍କ ମଧ୍ୟରେ ମୁଁ ଯେତେବେଳେ ସାତୋଟି ରୋଟୀ ଭାଙ୍ଗିଥିଲି, ସେତେବେଳେ ତୁମ୍ଭେମାନେ ପୂରା କେତେ ବେତା ଭଙ୍ଗା ଖଣ୍ତ ଉଠାଇ ନେଇଥିଲ? ସେମାନେ କହିଲେ, ସାତ ବେତା।
21ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ କଅଣ ଏପର୍ଯ୍ୟନ୍ତ ବୁଝୁ ନାହଁ।
ବେଥ୍ସାଇଦାରେ ଜଣେ ଅନ୍ଧକୁ ଦୃଷ୍ଟିଦାନ
22ପରେ ସେମାନେ ବେଥ୍ସାଇଦାକୁ ଆସିଲେ। ଆଉ, ଲୋକେ ଜଣେ ଅନ୍ଧକୁ ତାହାଙ୍କ ନିକଟକୁ ଆଣି ତାହାକୁ ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ।
23ତେଣୁ ଯୀଶୁ ଅନ୍ଧଟିର ହାତ ଧରି ତାହାକୁ ଗାଁ ବାହାରକୁ ଘେନିଗଲେ, ପୁଣି ତାହାର ଆଖିରେ ଛେପ ପକାଇ ଓ ତାହା ଉପରେ ହାତ ଥୋଇ ତାହାକୁ ପଚାରିଲେ, ତୁମ୍ଭେ କି କିଛି ଦେଖୁଅଛ?
24ସେ ଚାହିଁ କହିଲା, ମୁଁ ମନୁଷ୍ୟମାନଙ୍କୁ ଦେଖୁଅଛି, କାରଣ ମୁଁ ଗଛ ପରି କଅଣ ଚାଲୁଥିବା ଦେଖୁଅଛି।
25ତାହା ପରେ ସେ ପୁଣି ତାହାର ଆଖିରେ ହାତ ଦେଲେ; ସେଥିରେ ସେ ସ୍ପଷ୍ଟ ରୂପେ ଦେଖିଲା ଓ ସୁସ୍ଥ ହୋଇ ଏକଦୃଷ୍ଟିରେ ସମସ୍ତ ବିଷୟକୁ ଚାହିଁବାକୁ ଲାଗିଲା।
26ପରେ ଯୀଶୁ ତାହାକୁ ତାହାର ଘରକୁ ପଠାଇଦେଇ କହିଲେ, ଏ ଗାଁ ଭିତରକୁ ସୁଦ୍ଧା ଯାଅ ନାହିଁ।
ଯୀଶୁଙ୍କୁ ଖ୍ରୀଷ୍ଟ ରୂପେ ପିତରଙ୍କ ସ୍ଵୀକାର
27ଏଥିଉତ୍ତାରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରୀଆ ଫିଲିପ୍‍ପୀ ଅଞ୍ଚଳର ଗ୍ରାମମାନଙ୍କୁ ପ୍ରସ୍ଥାନ କଲେ, ଆଉ ପଥ ମଧ୍ୟରେ ସେ ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମୁଁ କିଏ ବୋଲି ଲୋକେ କଅଣ କହନ୍ତି?
28ଏଥିରେ ସେମାନେ ତାହାଙ୍କୁ କହିଲେ, ବାପ୍ତିଜକ ଯୋହନ, ଆଉ କେହି କେହି ଏଲୀୟ, କିନ୍ତୁ କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।
29ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ? ପିତର ତାହାଙ୍କୁ ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ।
30ସେଥିରେ ଯୀଶୁ ସେମାନଙ୍କୁ ତାହାଙ୍କ ବିଷୟରେ କାହାରିକି କିଛି ନ କହିବାକୁ ଦୃଢ଼ ରୂପେ ଆଜ୍ଞା ଦେଲେ।
ନିଜ ମୃତ୍ୟୁ ଏବଂ ଉତ୍ଥାନ ବିଷୟରେ ଯୀଶୁଙ୍କ ସୂଚନା
31ଆଉ, ଯୀଶୁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ ଯେ, ମନୁଷ୍ୟପୁତ୍ରଙ୍କୁ ଅବଶ୍ୟ ବହୁତ ଦୁଃଖଭୋଗ କରିବାକୁ ହେବ ଏବଂ ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ଵାରା ଅଗ୍ରାହ୍ୟ ହୋଇ ହତ ହେବାକୁ ହେବ, ପୁଣି ତିନି ଦିନ ପରେ ପୁନରୁତ୍ଥାନ କରିବାକୁ ହେବ।
32ଏହି କଥା ସେ ସ୍ପଷ୍ଟ ରୂପେ କହିଲେ। ସେଥିରେ ପିତର ତାହାଙ୍କୁ ଗୋଟିଏ ପାଖକୁ ଘେନିଯାଇ ଅନୁଯୋଗ କରିବାକୁ ଲାଗିଲେ।
33କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, ମୋʼ ଆଗରୁ ଦୂର ହୁଅ, ଶୟତାନ, କାରଣ ତୁମ୍ଭେ ଈଶ୍ଵରଙ୍କ ବିଷୟ ନ ଭାବି ମନୁଷ୍ୟର ବିଷୟ ଭାବୁଅଛ।
34ତତ୍ପରେ ଯୀଶୁ ଆପଣା ଶିଷ୍ୟମାନଙ୍କ ସହିତ ଲୋକସମୂହକୁ ନିକଟକୁ ଡାକି କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
35କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେକେହି ମୋହର ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
36ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ନିଜ ଜୀବନ ହରାଏ, ତେବେ ତାହାର କି ଲାଭ?
37ପୁଣି, ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେଇ ପାରେ?
38ଯେଣୁ ଯେକେହି ଏହି କାଳର ବ୍ୟଭିଚାରୀ ଓ ପାପିଷ୍ଠ ଲୋକମାନଙ୍କ ମଧ୍ୟରେ ମୋହର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ଦୂତମାନଙ୍କ ସହିତ ଆପଣା ପିତାଙ୍କ ମହିମାରେ ଆଗମନ କରିବେ, ସେତେବେଳେ ସେ ମଧ୍ୟ ତାହା ବିଷୟରେ ଲଜ୍ଜା ବୋଧ କରିବେ।

Highlight

Share

Copy

None

Want to have your highlights saved across all your devices? Sign up or sign in