ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 25
25
ଅବ୍ରହାମଙ୍କ ମୃତ୍ୟୁୁ ଏବଂ ତାଙ୍କ ବଂଶଧର
1ଅବ୍ରହାମ କଟୂରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ। 2ସେ ତାଙ୍କ ନିମନ୍ତେ ସିମ୍ରନ୍, ଯକ୍ଷନ୍, ମଦାନ୍, ମିଦୀୟନ, ଯିଶ୍ବକ ଓ ଶୂହ, ଏମାନଙ୍କୁ ଜନ୍ମ କଲା। 3ସେହି ଯକ୍ଷନ୍ ଶିବା ଓ ଦଦାନକୁ ଜାତ କଲା। ଦଦାନ ଅଶୂରୀୟ ଓ ଲଟୂଶୀୟ ଓ ଲୀୟମ୍ମୀୟ ଲୋକମାନଙ୍କର ଆଦିପୁରୁଷ। 4ମିଦୀୟନର ସନ୍ତାନ ଐଫା ଓ ଏଫର ଓ ହନୋକ ଓ ଅବୀଦ ଓ ଇଲଦାୟା; ଏସମସ୍ତେ କଟୂରାର ସନ୍ତାନ। 5ଏଥିଉତ୍ତାରେ ଅବ୍ରହାମ ଇସ୍ହାକକୁ ଆପଣାର ସର୍ବସ୍ୱ ଦେଲେ। 6ମାତ୍ର ଅବ୍ରହାମ ଉପପତ୍ନୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସ୍ହାକ ନିକଟରୁ ସେମାନଙ୍କୁ ପୂର୍ବଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। 7ଅବ୍ରହାମଙ୍କର ଆୟୁର ପରିମାଣ ଶହେ ପଞ୍ଚସ୍ତୋରି ବର୍ଷ; ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବିତ ଥିଲେ। 8ଏଥିଉତ୍ତାରେ ଅବ୍ରହାମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ; ଆଉ, ପୂର୍ବରୁ ମୃତ୍ୟୁବରଣ କରିଥିବା ଆପଣା ପୂର୍ବପୁରୁଷଗଣ ସହିତ ଜଡିତ ହେଲେ। 9ଆଉ ତାଙ୍କର ପୁତ୍ର ଇସ୍ହାକ ଓ ଇଶ୍ମାୟେଲ ମମ୍ରିର ସମ୍ମୁଖରେ ହିତ୍ତୀୟ ସୋହରର ପୁତ୍ର ଇଫ୍ରୋଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ। 10ଯେହେତୁ ଅବ୍ରହାମ ହିତ୍ତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା। 11ଅବ୍ରହାମଙ୍କ ମୃତ୍ୟୁୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସ୍ହାକଙ୍କୁ ଆଶୀର୍ବାଦ କଲେ; ପୁଣି, ଇସ୍ହାକ ବେର-ଲହୟ-ରୋୟୀ ନାମକ ସ୍ଥାନରେ ବସତି କଲେ।
ଇଶ୍ମାୟେଲର ବଂଶଧର
12ସାରାର ଦାସୀ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯାହାକୁ ପ୍ରସବ କରିଥିଲା, ଅବ୍ରହାମଙ୍କର ସେହି ପୁତ୍ର ଇଶ୍ମାୟେଲର ବଂଶାବଳୀ। 13ନାମ ଓ ଗୋଷ୍ଠୀ ଅନୁସାରେ ଇଶ୍ମାୟେଲର ସନ୍ତାନମାନଙ୍କ ନାମ ଏହି। ଇଶ୍ମାୟେଲର ଜ୍ୟେଷ୍ଠପୁତ୍ର ନବାୟୋତ୍; ତାହା ଉତ୍ତାରେ କେଦାର ଓ ଅଦ୍ବେଲ ଓ ମିବ୍ସମ୍, 14ମିଶ୍ମା ଓ ଦୂମା ଓ ମସା, 15ଓ ହଦଦ୍ ଓ ତେମା ଓ ଯିଟୁର ଓ ନାଫୀଶ୍ ଓ କେଦମା। 16ଏହି ସମସ୍ତେ ଇଶ୍ମାୟେଲର ସନ୍ତାନ, ପୁଣି, ସେମାନଙ୍କ ନାମାନୁସାରେ ସେମାନଙ୍କର ଗ୍ରାମ ଓ ଛାଉଣି ସ୍ଥାନ ଥିଲା; ଆଉ ସେମାନେ ଆପଣା ଆପଣା ଗୋତ୍ରାନୁସାରେ ଦ୍ୱାଦଶ ଅଧିପତି ଥିଲେ। 17ଇଶ୍ମାୟେଲର ଆୟୁର ପରିମାଣ ଶହେ ସଇଁତିରିଶ ବର୍ଷ ଥିଲା; ତହୁଁ ସେ ପ୍ରାଣତ୍ୟାଗ କଲା; ଆଉ ସେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲା। 18ଏଥିଉତ୍ତାରେ ତାହାର ସନ୍ତାନମାନେ ହବୀଲା ଓ ମିସରର ପୂର୍ବସ୍ଥିତ ଶୂରଠାରୁ ଅଶୂରୀୟା ଦିଗରେ ବସତି କଲେ। ଏହିରୂପେ ସେ ଆପଣା ସମସ୍ତ ଭ୍ରାତୃଗଣର ସମ୍ମୁଖସ୍ଥ ବସତି ସ୍ଥାନ ପାଇଲା।
ଏଷୌ ଓ ଯାକୁବଙ୍କ ଜନ୍ମ
19ଅବ୍ରହାମଙ୍କର ପୁତ୍ର ଇସ୍ହାକଙ୍କର ବଂଶାବଳୀ। ଅବ୍ରହାମ ଇସ୍ହାକଙ୍କୁ ଜାତ କଲେ; 20ସେହି ଇସ୍ହାକ ଚାଳିଶ ବର୍ଷ ବୟସରେ ପଦ୍ଦନ୍ ଅରାମୀୟ ବଥୂୟେଲର କନ୍ୟା, ଅର୍ଥାତ୍, ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ। 21ଇସ୍ହାକଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ; ତହିଁରେ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ, ତାହାର ଭାର୍ଯ୍ୟା ରିବିକା ଗର୍ଭବତୀ ହେଲା। 22ଏଥିଉତ୍ତାରେ ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ, ମୋହର ଏପରି କାହିଁକି ହେଲା ? ଏପରି କି ହୋଇଥାଏ ? ଏହା ଭାବି ସେ ସଦାପ୍ରଭୁଙ୍କ ନିକଟକୁ ପଚାରିବା ପାଇଁ ଗଲା। 23ତହିଁରେ ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ; ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ, ପୁଣି, ଜ୍ୟେଷ୍ଠ କନିଷ୍ଠର ସେବା କରିବ।” 24ଏଥିଉତ୍ତାରେ ପ୍ରସବକାଳ ସମ୍ପୂର୍ଣ୍ଣ ହୁଅନ୍ତେ, ତାହାର ଗର୍ଭରୁ ଯାଆଁଳା ପୁତ୍ର ଜନ୍ମିଲେ। 25ତାହାର ଜ୍ୟେଷ୍ଠ ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମଶ ବସ୍ତ୍ର ପରି ଥିଲା; ଏହେତୁ ତାହାର ନାମ ଏଷୌ#25:25 ଅର୍ଥାତ୍ ଲୋମବ୍ୟାପ୍ତ ଦିଆଗଲା। 26ତହିଁ ଉତ୍ତାରେ ଏଷୌର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା; ଏଥିପାଇଁ ତାହାର ନାମ ଯାକୁବ#25:26 ଅର୍ଥାତ୍ ପଦାପହାରକ ଦିଆଗଲା। ଇସ୍ହାକଙ୍କର ଷାଠିଏ ବର୍ଷ ବୟସରେ ଏହି ଯାଆଁଳା ପୁତ୍ର ଜାତ ହେଲେ।
ଏଷୌର ଜ୍ୟେଷ୍ଠାଧିକାର ବିକ୍ରୟ
27ଏଥିଉତ୍ତାରେ ବାଳକମାନେ ବଢ଼ିଲା ଉତ୍ତାରେ ଏଷୌ ମୃଗୟାନିପୁଣ ଓ ବନବିହାରୀ ହେଲା; ପୁଣି, ଯାକୁବ ମୃଦୁମନୁଷ୍ୟ ଓ ତମ୍ବୁବାସୀ ହେଲା। 28ଇସ୍ହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏଷୌକୁ ଭଲ ପାଇଲେ। ମାତ୍ର ରିବିକା ଯାକୁବକୁ ଭଲ ପାଇଲା। 29ଏକ ଦିନ ଯାକୁବ ଡାଲି ରାନ୍ଧୁଥିଲା, ସେହି ସମୟରେ ଏଷୌ କ୍ଳାନ୍ତ ହୋଇ କ୍ଷେତ୍ରରୁ ଆସିଲା; 30ତହୁଁ ସେ ଯାକୁବକୁ କହିଲା, “ମୁଁ କ୍ଳାନ୍ତ ହୋଇଅଛି, ବିନୟ କରେ, ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ,” ଏହି ନିମନ୍ତେ ତାହାର ନାମ ଇଦୋମ୍ (ରଙ୍ଗା) ଖ୍ୟାତ ହେଲା। 31ସେତେବେଳେ ଯାକୁବ କହିଲା, “ଆଜି ତୁମ୍ଭେ ମୋତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର।” 32ଏଷୌ ଉତ୍ତର କଲା, “ଦେଖ, ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ ?” 33ଯାକୁବ କହିଲା, “ତୁମ୍ଭେ ଆଜି ମୋ’ ନିକଟରେ ଶପଥ କର,” ତହିଁରେ ସେ ତାହା ନିକଟରେ ଶପଥ କଲା। ଏହିରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଲା। 34ତହୁଁ ଯାକୁବ ଏଷୌକୁ ରୁଟି ଓ ରନ୍ଧା ମସୁର ଡାଲି ଦିଅନ୍ତେ, ସେ ଭୋଜନ ପାନ କରି ଉଠିଗଲା। ଏହିରୂପେ ଏଷୌ ଆପଣା ଜ୍ୟେଷ୍ଠାଧିକାର ତୁଚ୍ଛଜ୍ଞାନ କଲା।
Currently Selected:
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 25: ORYIRV
Highlight
Share
Copy
Want to have your highlights saved across all your devices? Sign up or sign in
© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0