ଆଦି ପୁସ୍ତକ 28
28
1ଇସ୍ହାକ ଯାକୁବକୁ ଡାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞା ଦେଇ ତାଙ୍କୁ କହିଲେ, “ତୁମ୍ଭେ କିଣାନୀୟ କନ୍ୟାକୁ ବିବାହ କରିବ ନାହିଁ। 2ତେଣୁ ତୁମ୍ଭେ ଏ ସ୍ଥାନ ଛାଡ଼ି ପଦ୍ଦନ୍ ଅରାମକୁ ଯାଅ। ନିଜ ମାତାର ପରିବାରକୁ ଯାଇ, ବଥୂୟେଲର ଗୁହକୁ ଯାଇ ସେଠାରେ ନିଜର ମାମୁଁ ଲାବନର କୌଣସି କନ୍ୟାକୁ ବିବାହ କର। 3ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ। 4ପରମେଶ୍ୱର ଅବ୍ରହାମଙ୍କୁ ଆଶୀର୍ବାଦ କଲା ପରି ତୁମ୍ଭଠାରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉନ୍ତୁ। ତହିଁରେ ପରମେଶ୍ୱର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠାରେ ତୁମ୍ଭେ ବର୍ତ୍ତମାନ ବାସ କରୁଛ। ତାହା ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିଲେ।”
5ଏହା ପରେ ଇସ୍ହାକ ଯାକୁବକୁ ବିଦାୟ କରନ୍ତେ ସେ ପଦ୍ଦନ୍ ଅରାମରେ ଅରାମୀୟ ବଥୂୟେଲର ପୁତ୍ର ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ଲାବନ ନିକଟକୁ ଯାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
6ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ ଜାଣିଲେ ଯେ, ଇସ୍ହାକ ଯାକୁବକୁ ସ୍ତ୍ରୀ ଖୋଜିବା ପାଇଁ ପଦ୍ଦନ୍ ଅରାମକୁ ପଠାଇଛନ୍ତି। ଏଷୌ ଜାଣିଲେ ଯେ, ଯାକୁବକୁ କିଣାନ ଦେଶର କନ୍ୟାକୁ ବିବାହ ନ ହେବା ପାଇଁ, ତାଙ୍କର ପିତା ନିର୍ଦ୍ଦେଶ ଦେଇଛନ୍ତି। 7ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତାମାତାଙ୍କର କଥା ମାନି ପଦ୍ଦନ୍ ଅରାମକୁ ପଳାଇଛି। 8ଏଷୌ ଏ କଥା ଜାଣିଲେ ଯେ ତାଙ୍କର ପିତା ଗ୍ଭହୁଁ ନାହାନ୍ତି ତାଙ୍କର ପୁତ୍ର କିଣାନୀୟ କନ୍ୟାକୁ ବିବାହ କରନ୍ତୁ। 9ଏଷୌର ଦୁଇଟି କିଣାନୀୟ ସ୍ତ୍ରୀ ଥିଲେ। କିନ୍ତୁ ଏହା ପରେ ସେ ଇଶ୍ମାଏଲକୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ ସେ ଇଶ୍ମାଏଲର କନ୍ୟା ମହଲତ୍କୁ ବିବାହ କଲେ। ଇଶ୍ମାଏଲ ଅବ୍ରହାମଙ୍କର ପୁତ୍ର। ମହଲତ୍ ନବାୟୋତର ଭଉଣୀ।
10ଯାକୁବ ବେର୍ଶେବା ଛାଡ଼ି ହାରଣକୁ ଗଲେ। 11ଯାକୁବ ଯାତ୍ରା କରିଥିବା ସମୟରେ ସୂର୍ଯ୍ୟାସ୍ତ ହେଲା। ତେଣୁ ଯାକୁବ ରାତ୍ରି ଯାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସେହି ସ୍ଥାନରେ ପଥର ଉପରେ ମୁଣ୍ଡ ଦେଇ ସେ ଶୋଇ ପଡ଼ିଲେ। 12ଯାକୁବ ଏକ ସ୍ୱପ୍ନ ଦେଖିଲେ। ସେ ସ୍ୱପ୍ନରେ ଦେଖିଲେ ଯେ ଏକ ଶିଡ଼ି ଭୂମିରୁ ସ୍ୱର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ୱରଙ୍କର ଦୂତଗଣ ସେହି ଶିଡ଼ି ଦେଇ ଚଢୁଛନ୍ତି ଓ ଓହ୍ଲାଉଛନ୍ତି। 13ଯାକୁବ ଦେଖିଲେ ସଦାପ୍ରଭୁ ସେହି ଶିଡ଼ି ପାଖରେ ଛିଡ଼ା ହୋଇଛନ୍ତି। ସଦାପ୍ରଭୁ କହୁଥିଲେ, “ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ୱର, ମଧ୍ୟ ଇସ୍ହାକର ପରମେଶ୍ୱର। ତୁମ୍ଭେ ଶୋଇଥିବା ଭୂମି ଆମ୍ଭେ ତୁମ୍ଭକୁ ଦେବା। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ଦେବା। 14ତୁମ୍ଭର ବହୁତ ବଂଶ ହେବେ। ତାହା ପୃଥିବୀର ଧୂଳି ପରି ଅସଂଖ୍ୟ ହେବେ। ସେମାନେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ୟାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ।
15“ଆମ୍ଭେ ତୁମ୍ଭ ସହିତ ଅଛୁ। ଆମ୍ଭେ ତୁମ୍ଭକୁ ସବୁଠାରେ ସୁରକ୍ଷା ଦେବା। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫେରାଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଆମ୍ଭେ ତୁମ୍ଭକୁ ଛାଡ଼ୁ ନାହୁଁ।”
16ଏହା ପରେ ଯାକୁବ ନିଦ୍ରାରୁ ଉଠିଲେ, ଏବଂ କହିଲେ, “ମୁଁ ଜାଣେ ଯେ ସଦାପ୍ରଭୁ ଏହିଠାରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠାରେ ଥିଲେ ବୋଲି ଜାଣି ନ ଥିଲି।”
17ଯାକୁବ ଭୟ କଲେ ଓ ସେ କହିଲେ, “ଏହି ସ୍ଥାନ ଭୟାନକ ଅଟେ। ଏହା ପରମେଶ୍ୱରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ୱର୍ଗର ଦ୍ୱାର।”
18ଯାକୁବ ପ୍ରତ୍ୟୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦେଇଥିଲେ, ତାହା ନେଇ ସ୍ତମ୍ଭରୂପେ ସ୍ଥାପନ କଲେ। ଏହା ପରେ ସେ ତା’ ଉପରେ ତୈଳ ଢାଳିଲେ। 19ସେହି ସ୍ଥାନର ନାମ ଥିଲା “ଲୂସ୍” କିନ୍ତୁ ଯାକୁବ ସେହି ସ୍ଥାନର ନାମ ଦେଲେ “ବୈଥେଲ୍”।
20ଏହା ପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, “ଯଦି ପରମେଶ୍ୱର ମୋ’ ସହିତ ରହିବେ, ଯଦି ଏହି ଯାତ୍ରାରେ ପରମେଶ୍ୱର ମୋର ସହାୟ ହେବେ, ଯଦି ପରମେଶ୍ୱର ମୋତେ ଖାଦ୍ୟ ବସ୍ତ୍ର ଯୋଗାଇବେ। 21ଯଦି ପରମେଶ୍ୱର ମୋତେ ନିରାପଦରେ ମୋ’ ଗୃହକୁ ଫେରାଇ ଆଣନ୍ତି। ତେବେ ସଦାପ୍ରଭୁ ମୋର ପରମେଶ୍ୱର ହେବେ। 22ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ରୂପେ ସ୍ଥାପନ କରିଅଛି। ଏହା ପରମେଶ୍ୱରଙ୍କର ଏକ ପବିତ୍ର ସ୍ଥାନ ହେବ। ଆଉ ତୁମ୍ଭେ ଯାହାସବୁ ମୋତେ ଦେବ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ୟ ଦେବି।”
S'ha seleccionat:
ଆଦି ପୁସ୍ତକ 28: OERV
Subratllat
Comparteix
Copia
Vols que els teus subratllats es desin a tots els teus dispositius? Registra't o inicia sessió
Odia Holy Bible: Easy-to-Read Version (OERV)
@ 2004 Bible League International