ମାଥିଉଲିଖିତ ସୁସମାଚାର 4

4
ଯୀଶୁଙ୍କ ପରୀକ୍ଷା
(ମାର୍କ ୧:୧୨-୧୩; ଲୂକ ୪:୧-୧୩)
1ଏହା ପରେ ପରମାତ୍ମା ତାଙ୍କୁ ମରୁ ପ୍ରାନ୍ତରକୁ କଢ଼ାଇ ନେଲେ। ସେଠାରେ ସେ ଶୟତାନ ଦ୍ୱାରା ପରୀକ୍ଷିତ ହେଲେ।#ଏବ୍ରୀ ୨:୧୮; ୪:୧୫। 2ଚାଳିଶ ଦିନ ଓ ଚାଳିଶ ରାତି ଅନାହାରରେ ବିତାଇବା ପରେ ଯୀଶୁ କ୍ଷୁଧିତ ହେଲେ। 3ସେତେବେଳେ ଶୟତାନ ତାଙ୍କ ନିକଟକୁ ଆସି କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏହି ପଥରଗୁଡ଼ିକୁ ରୋଟିରେ ପରିଣତ ହେବା ପାଇଁ ଆଦେଶ ଦିଅ।”
4କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖା ଅଛି, ‘ମନୁଷ୍ୟ ଖାଲି ରୋଟି ଖାଇ ବଞ୍ଚେ ନାହିଁ। ଈଶ୍ୱରଙ୍କ ମୁଖନିସୃତ ପ୍ରତ୍ୟେକ ବାକ୍ୟ ତା’ର ଜୀବନ ପାଇଁ ଆବଶ୍ୟକ’।”#ଦ୍ୱି. ବିବରଣୀ ୮:୩।
5ଏହାପରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଗଲା। ସେଠାରେ ତାଙ୍କୁ ମନ୍ଦିରର ସର୍ବୋଚ୍ଚ ଚୂଡ଼ାରେ ବସାଇ କହିଲା, 6“ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ଏଠାରୁ ତଳକୁ ଡ଼େଇଁପଡ଼। ଧର୍ମଶାସ୍ତ୍ରରେ ଲେଖାଅଛି -#ଗୀତ. ୯୧:୧୧-୧୨।
ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ।
ସେମାନେ ତୁମକୁ ହାତରେ ତୋଳି ଧରିବେ।
ତେଣୁ ତୁମ ପାଦରେ ପଥରର ଆଘାତ ଲାଗିବ ନାହିଁ।”
7ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ତୁମ ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ।”#ଦ୍ୱି. ବିବରଣୀ ୬:୧୬।
8ତା’ପରେ ଶୟତାନ ତାଙ୍କୁ ଗୋଟିଏ ଉଚ୍ଚ ପର୍ବତର ଶିଖରକୁ ନେଇଗଲା ଏବଂ ତାଙ୍କୁ ଜଗତର ସମସ୍ତ ରାଜ୍ୟଗୁଡ଼ିକର ଐଶ୍ୱର୍ଯ୍ୟ ଦେଖାଇ କହିଲା, 9“ଯଦି ତୁମେ ଜାନୁପାତି ମୋତେ ପୂଜା କରିବ, ଏହିସବୁ ତୁମକୁ ମୁଁ ଦେବି।” 10ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”#ଦ୍ୱି. ବିବରଣୀ ୬:୧୩।
11ସଙ୍ଗେ ସଙ୍ଗେ ଶୟତାନ ତାଙ୍କୁ ଛାଡ଼ି ଚାଲିଗଲା ଓ ସ୍ୱର୍ଗଦୂତମାନେ ଆସି ଯୀଶୁଙ୍କର ଯତ୍ନ ନେଲେ।
ଯୀଶୁ ଗାଲିଲୀରେ ତାଙ୍କ କାର୍ଯ୍ୟ ଆରମ୍ଭ କଲେ
(ମାର୍କ ୧:୧୪-୧୫; ଲୂକ ୪:୧୪-୧୫)
12ଯୋହନଙ୍କୁ ବନ୍ଦୀ କରାଯାଇଛି ବୋଲି ଶୁଣି ଯୀଶୁ ଗାଲିଲୀକୁ ପ୍ରସ୍ଥାନ କଲେ।#ମାଥିଉ ୧୪:୩; ମାର୍କ ୬:୧୭; ଲୂକ ୩:୧୯-୨୦। 13କିନ୍ତୁ ନାଜରିତରେ ନ ରହି ଜବୂଲନ ଓ ନଫ୍ତାଲି ଅଞ୍ଚଳରେ ଥିବା ଗାଲିଲୀ ହ୍ରଦ ଉପକୂଳବର୍ତ୍ତୀ କପର୍ନାହୂମରେ ବାସ କଲେ।#ଯୋହନ ୨:୧୨। 14ଏହା ଦ୍ୱାରା ଭାବବାଦୀ ଯିଶାଇୟଙ୍କ ବାଣୀ ସଫଳ ହେଲା। ସେ କହିଥିଲେ:
15“ଯର୍ଦ୍ଦନ ନଦୀ ସେ ପାରିରେ
ସମୁଦ୍ରକୁ ପଡ଼ିଥିବା ରାସ୍ତା ଉପରେ ଅବସ୍ଥିତ
ଜବୂଲନ ଓ ନଫ୍ତାଲୀ ଦେଶ ଦ୍ୱୟ ଓ ବିଜାତୀୟମାନଙ୍କର ଗାଲିଲୀ!#ଯିଶାଇୟ ୯:୧-୨।
16ଅନ୍ଧକାରରେ ବାସ କରୁଥିବା ଲୋକମାନେ
ଗୋଟିଏ ଉଜ୍ଜ୍ୱଳ ଆଲୋକ ଦେଖିବେ
ମୃତ୍ୟୁର ତିମିରାଚ୍ଛନ୍ନ ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ
ସେହି ଆଲୋକ ପ୍ରକାଶ ପାଇବ।”
17ସେହି ସମୟଠାରୁ ଯୀଶୁ ପ୍ରଚାର କରି କହିଲେ, “ପାପ ପଥରୁ ଫେର, କାରଣ ସ୍ୱର୍ଗରାଜ୍ୟ ନିକଟବର୍ତ୍ତୀ”।#ମାଥିଉ ୩:୨।
ଯୀଶୁ ଚାରିଜଣ ଧୀବରଙ୍କୁ ଆହ୍ୱାନ କଲେ
(ମାର୍କ ୧:୧୬-୨୦; ଲୂକ ୫:୧-୧୧)
18ଯୀଶୁ ଗାଲିଲୀ ହ୍ରଦକୂଳ ଦେଇ ଗମନ କଲାବେଳେ ଶିମୋନ (ପିତର) ଓ ଆନ୍ଦ୍ରିୟ ନାମକ ଦୁଇଜଣ ଧୀବରଙ୍କୁ ଭେଟିଲେ। ଏ ଦୁଇ ଭାଇ ଜାଲ ପକାଇ ହ୍ରଦରେ ମାଛ ଧରୁଥିଲେ। 19ଯୀଶୁ ସେମାନଙ୍କୁ ଆହ୍ୱାନ କରି କହିଲେ, “ମୋ’ ସାଙ୍ଗରେ ଆସ। ମୁଁ ତୁମକୁ ମନୁଷ୍ୟ ଧରିବା ଶିଖାଇବି।” 20ସେମାନେ ସେହିକ୍ଷଣି ସେମାନଙ୍କ ଜାଲ ଛାଡ଼ି ତାଙ୍କ ସଙ୍ଗରେ ଗଲେ।
21ଯୀଶୁ ଟିକେ ଆଗକୁ ଯାଇ ଯାକୁବ ଓ ଯୋହନ ନାମକ ଜେବଦୀଙ୍କ ଦୁଇ ପୁତ୍ରଙ୍କୁ ଭେଟିଲେ। ଏ ଦୁଇ ଭାଇ ଓ ସେମାନଙ୍କ ପିତା ନୌକାରେ ବସି ସେମାନଙ୍କର ଜାଲ ସଜାଡ଼ୁଥିଲେ। 22ଯୀଶୁ ସେମାନଙ୍କୁ ମଧ୍ୟ ଡ଼ାକିଲେ ଏବଂ ସେମାନେ ସଙ୍ଗେ ସଙ୍ଗେ ନୌକା ଓ ପିତାଙ୍କୁ ଛାଡ଼ି ଯୀଶୁଙ୍କ ପଛେ ପଛେ ଗଲେ।
ଯୀଶୁଙ୍କ ଶିକ୍ଷା, ପ୍ରଚାର ଓ ଆରୋଗ୍ୟ ପ୍ରଦାନ
(ଲୂକ ୬:୧୭-୧୯)
23ଯୀଶୁ ସମଗ୍ର ଗାଲିଲୀ ପର୍ଯ୍ୟଟନ କରି ଉପାସନା ଗୃହମାନଙ୍କରେ ଶିକ୍ଷା ଦେଲେ। ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କଲେ ଏବଂ ନାନାବିଧ ରୋଗୀ ଓ ଅସୁସ୍ଥ ଲୋକମାନଙ୍କୁ ସୁସ୍ଥ କଲେ।#ମାଥିଉ ୯:୩୫; ମାର୍କ ୧:୩୯। 24ସମୁଦାୟ ସିରିଆରେ ତାଙ୍କ ଖ୍ୟାତି ବ୍ୟାପି ଗଲା ଏବଂ ଲୋକେ ଭୂତଗ୍ରସ୍ତ, ଅପସ୍ମାର, ପକ୍ଷାଘାତ ପ୍ରଭୃତି ସବୁ ପ୍ରକାର ବ୍ୟାଧିଗ୍ରସ୍ତ ଲୋକଙ୍କୁ ତାଙ୍କ ନିକଟକୁ ନେଇ ଆସିଲେ। 25ଯୀଶୁ ସେ ସମସ୍ତଙ୍କୁ ସୁସ୍ଥ କଲେ। ଗାଲିଲୀ, ଦେକାପଲୀ, ଯିରୂଶାଲମ, ଇହୁଦା ଓ ଯର୍ଦ୍ଦନର ସେପାରିରେ ଥିବା ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଯୀଶୁଙ୍କୁ ଅନୁସରଣ କଲେ।

Märk

Dela

Jämför

Kopiera

None

Vill du ha dina höjdpunkter sparade på alla dina enheter? Registrera dig eller logga in