ମାଥିଉଲିଖିତ ସୁସମାଚାର ଉପକ୍ରମଣିକା
ଉପକ୍ରମଣିକା
ପୁରାତନ ନିୟମରେ ଈଶ୍ୱର ଯେଉଁ ପରିତ୍ରାଣକର୍ତ୍ତାଙ୍କୁ ପ୍ରେରଣ କରିବେ ବୋଲି ତାଙ୍କ ଲୋକମାନଙ୍କୁ ପ୍ରତିଜ୍ଞା କରିଥିଲେ, ପ୍ରଭୁ ଯୀଶୁ ଯେ ସେହି ତ୍ରାଣକର୍ତ୍ତା, ଏହି ଶୁଭବାର୍ତ୍ତା ମାଥିଉଲିଖିତ ସୁସମାଚାରରେ ବର୍ଣ୍ଣନା କରାଯାଇଛି। ଏହି ଶୁଭବାର୍ତ୍ତା, ଯୀଶୁ ଜନ୍ମ ଗ୍ରହଣ କରିଥିବା ଦେଶର ଅଧିବାସୀ, ତାଙ୍କର ସ୍ୱଜାତି ଯିହୂଦୀମାନଙ୍କ ପାଇଁ କେବଳ ଉଦ୍ଦିଷ୍ଟ ନ ଥିଲା - ତାହା ଥିଲା, ସମଗ୍ର ପୃଥିବୀ ପାଇଁ।
ଏହି ପୁସ୍ତକ ଏକ ଧାରାବାହିକ ବିବରଣୀ। ପ୍ରଭୁ ଯୀଶୁଙ୍କର ଜନ୍ମରୁ ଆରମ୍ଭ କରି, ତାଙ୍କର ଜଳଦୀକ୍ଷା ଗ୍ରହଣ, ପରୀକ୍ଷା, ପ୍ରଚାର କାର୍ଯ୍ୟ, ଶିକ୍ଷାଦାନ ଓ ଗାଲିଲୀରେ ରୋଗୀମାନଙ୍କୁ ସୁସ୍ଥ କରିବା ବିଷୟ କ୍ରମାନ୍ୱୟରେ ଲେଖାଯାଇଛି। ଏହାପରେ ଯୀଶୁଙ୍କର ଗାଲିଲୀରୁ ଯିରୁଶଶଲମ ଯାତ୍ରା, ତାଙ୍କ ଜୀବନର ଶେଷ ସପ୍ତାହର ଘଟଣାବଳୀ ଓ ପରିଶେଷରେ ତାଙ୍କର କ୍ରୁଶାର୍ପଣ ଓ ପୁନରୁତ୍ଥାନ ବିଷୟ ଲିପିବଦ୍ଧ କରାଯାଇଛି।
ଯୀଶୁଙ୍କୁ ପରମ ଗୁରୁ ସ୍ୱରୂପେ ଏହି ସୁସମାଚାରରେ ତାଙ୍କର ପରିଚୟ ଦିଆଯାଇଛି। ଈଶ୍ୱରଙ୍କ ବ୍ୟବସ୍ଥାର ବିଶ୍ଲେଷଣ କରି ତାଙ୍କ ରାଜ୍ୟ ବିଷୟରେ ବୁଝାଇବା ପାଇଁ ଯୀଶୁଙ୍କର ଅନନ୍ୟ କ୍ଷମତା ଥିଲା। ଯୀଶୁଙ୍କ ଶିକ୍ଷାର ବିଷୟବସ୍ତୁକୁ ମାଥିଉ ପାଞ୍ଚଟି ବିଭାଗରେ ସଙ୍କଳନ କରିଛନ୍ତି। (୧) ସ୍ୱର୍ଗରାଜ୍ୟର ପ୍ରଜାମାନଙ୍କ ସ୍ୱଭାବ, ଚରିତ୍ର, କର୍ତ୍ତବ୍ୟ, ଅଧିକାର ଓ ଶେଷ ପରିଣତି ବିଷୟରେ ଯୀଶୁଙ୍କର ପାର୍ବତ୍ୟ ଉପଦେଶ। (ପର୍ବ ୫-୭)। (୨) ବାରଶିଷ୍ୟଙ୍କୁ ପ୍ରଚାର କାର୍ଯ୍ୟ ନିମନ୍ତେ ନିର୍ଦ୍ଦେଶ (ପର୍ବ ୧୦)। (୩) ସ୍ୱର୍ଗରାଜ୍ୟ ସମ୍ପର୍କରେ ଦୃଷ୍ଟାନ୍ତମାଳା (ପର୍ବ ୧୩)। (୪) ପ୍ରକୃତ ଶିଷ୍ୟତ୍ୱର ମର୍ମ ବିଷୟରେ ଯୀଶୁଙ୍କ ଶିକ୍ଷା (ପର୍ବ ୧୮)। (୫) ଏହି ଯୁଗର ଶେଷ ଓ ସ୍ୱର୍ଗରାଜ୍ୟର ଆଗମନ ବିଷୟରେ ଶିକ୍ଷା (ପର୍ବ ୨୪-୨୫)।
ବିଷୟ ସୂଚୀ:
ଯୀଶୁଙ୍କ ବଂଶାବଳୀ ଓ ଜନ୍ମ (୧:୧—୨:୨୩)
ଜଳଦୀକ୍ଷାଦାତା ଯୋହନଙ୍କ ପ୍ରଚାର କାର୍ଯ୍ୟ (୩:୧-୧୨)
ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ ଓ ପରୀକ୍ଷା (୩:୧୩—୪:୧୧)
ଗାଲିଲୀରେ ଯୀଶୁଙ୍କର ପ୍ରଚାର ଓ କାର୍ଯ୍ୟାବଳୀ (୪:୧୨—୧୮:୩୫)
ଗାଲିଲୀରୁ ଯିରୁଶାଲମକୁ ଯାତ୍ରା (୧୯:୧—୨୦:୩୪)
ଯିରୁଶାଲମ ଓ ତାହାର ସମୀପରେ ଯୀଶୁଙ୍କ ଶେଷ ସପ୍ତାହ। (୨୧:୧—୧୭:୬୬)
ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ ଓ ଶିଷ୍ୟମାନଙ୍କୁ ଦର୍ଶନ (୨୮:୧-୨୦)
Nu markerat:
ମାଥିଉଲିଖିତ ସୁସମାଚାର ଉପକ୍ରମଣିକା: ODCLBSI
Märk
Kopiera
Jämför
Dela
Vill du ha dina höjdpunkter sparade på alla dina enheter? Registrera dig eller logga in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.