ମାଥିଉ 3
3
ବାପ୍ତିଜକ ଯୋହନଙ୍କ ପ୍ରଚାର
(ମାଥିଉ 1:1-8; ଲୂକ 3:1-18; ଯୋହନ 1:6-8,15-34)
1ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, 2“ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।” 3ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ,
“ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର,
‘ପ୍ରଭୁଙ୍କ ପଥ ପ୍ରସ୍ତୁତ କର,
ତାହାଙ୍କ ରାଜଦାଣ୍ଡ ସଳଖ କର।’”
4ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା। 5ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦିୟା ପ୍ରଦେଶ ପୁଣି, ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ, 6ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।
7କିନ୍ତୁ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? 8ଏଣୁ ମନ-ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର, 9ପୁଣି, ଅବ୍ରହାମ ତ ଆମ୍ଭମାନଙ୍କର ପିତା, ମନେ ମନେ ଏପରି କହିବାକୁ ଭାବ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ବର ଏହି ପଥରଗୁଡ଼ାକରୁ ଅବ୍ରହାମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି।
10ଆଉ ଏବେ ମଧ୍ୟ ଗଛଗୁଡ଼ିକ ମୂଳରେ କୁରାଢ଼ୀ ଲାଗିଅଛି; ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। 11ମୁଁ ସିନା ତୁମ୍ଭମାନଙ୍କୁ ମନ-ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ପରେ ଯେ ଆସୁଅଛନ୍ତି, ସେ ମୋʼଠାରୁ ଅଧିକ ଶକ୍ତିମାନ, ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ; ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମଭାବେ ପରିଷ୍କାର କରି ଆପଣା ଗହମ ଅମାରରେ ଏକାଠି କରି ରଖିବେ, କିନ୍ତୁ ଅଗାଡ଼ିଯାକ ଲିଭୁ ନ ଥିବା ଅଗ୍ନିରେ ପୋଡ଼ି ପକାଇବେ।”
ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ
(ମାର୍କ 1:9-11; ଲୂକ 3:21,22; ଯୋହନ 1:31-34)
13ସେତେବେଳେ ଯୀଶୁ ଯୋହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲୀରୁ ଯର୍ଦ୍ଦନ ନଦୀକୁ ଆସିଲେ। 14କିନ୍ତୁ ଯୋହନ ତାହାଙ୍କୁ ମନା କରିବାକୁ ଚେଷ୍ଟା କରି କହିଲେ, “ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ଆବଶ୍ୟକ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି?” 15ମାତ୍ର ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଏବେ ରାଜି ହୁଅ, କାରଣ ଏହି ପ୍ରକାରେ ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉଚିତ।” ସେଥିରେ ସେ ତାହାଙ୍କ କଥାରେ ରାଜି ହେଲେ।
16ଯୀଶୁ ବାପ୍ତିଜିତ ହେଲାକ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା, ପୁଣି, ସେ ଈଶ୍ବରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। 17ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, “ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ।”
Seçili Olanlar:
ମାଥିଉ 3: IRVOry
Vurgu
Paylaş
Kopyala
Önemli anlarınızın tüm cihazlarınıza kaydedilmesini mi istiyorsunuz? Kayıt olun ya da giriş yapın
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.