Biểu trưng YouVersion
Biểu tượng Tìm kiếm

ଆଦି ପୁସ୍ତକ 3

3
ମନୁଷ୍ୟର ଆଜ୍ଞା ଲଂଘନ
1ସଦାପ୍ରଭୁ ପରମେଶ୍ଵରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳଥିଲା। ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ଵର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?
2ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଳ ଖାଇପାରୁ;
3କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷରଫଳ ବିଷୟରେ ପରମେଶ୍ଵର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ।
4ସର୍ପ ନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ;
5ବରଞ୍ଚ ପରମେଶ୍ଵର ଜାଣନ୍ତି, ତୁମ୍ଭେମାନେ ଯେଉଁ ଦିନ ତାହା ଖାଇବ, ସେହି ଦିନ ତୁମ୍ଭମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ଵରଙ୍କ ପରି ଭଲ ଓ ମନ୍ଦର ଜ୍ଞାନ ପାଇବ।
6ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ଵାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।
7ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲଙ୍ଗତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସିଁଇ ଘାଗରା ବନାଇଲେ।
8ତହୁଁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ଵରଙ୍କ ରବ ଶୁଣି ଆଦମ ଓ ତାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ଵରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ।
9ତହିଁରେ ସଦାପ୍ରଭୁ ପରମେଶ୍ଵର ଆଦମଙ୍କୁ ଡାକି କହିଲେ, ତୁମ୍ଭେ କେଉଁଠାରେ?
10ସେ ଉତ୍ତର କଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଙ୍ଗତା ସକାଶେ ଭୀତ ହୋଇ ଲୁଚିଲି।
11ସେ କହିଲେ, ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?
12ଆଦମ କହିଲେ, ତୁମ୍ଭେ ଯେଉଁ ସ୍ତ୍ରୀଙ୍କି ମୋହର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି।
13ସେତେବେଳେ ସଦାପ୍ରଭୁ ପରମେଶ୍ଵର ନାରୀଙ୍କି କହିଲେ, ଏ କି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।
ସଦାପ୍ରଭୁଙ୍କ ଦଣ୍ତାଜ୍ଞା
14ତହୁଁ ସଦାପ୍ରଭୁ ପରମେଶ୍ଵର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ, ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ।
15ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।
16ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି ସ୍ଵାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ଵ କରିବ।
17ଆଉ ସେ ଆଦମଙ୍କୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।
18ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ।
19ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।
20ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା (ଜୀବନ) ଦେଲେ, ଯେହେତୁ ସେ ଜୀବିତ ସକଳର ମାତା ହେଲେ।
21ଆଉ ସଦାପ୍ରଭୁ ପରମେଶ୍ଵର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାଙ୍କର ଭାର୍ଯ୍ୟାଙ୍କୁ ପିନ୍ଧାଇଲେ।
ଆଦମ ଓ ହବା ଉଦ୍ୟାନରୁ ବିତାଡ଼ିତ
22ଅନନ୍ତର ସଦାପ୍ରଭୁ ପରମେଶ୍ଵର କହିଲେ, ଦେଖ, ମନୁଷ୍ୟ ଭଲମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି; ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇ ଅନନ୍ତଜୀବୀ ନ ହୁଅଇ,
23ଏଥିପାଇଁ ସଦାପ୍ରଭୁ ପରମେଶ୍ଵର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ନୀତ ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ତାଙ୍କୁ ନିଯୁକ୍ତ କଲେ।
24ଏହି ରୂପେ ସେ ଆଦମଙ୍କୁ ତଡ଼ିଦେଲେ; ପୁଣି ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବଦିଗରେ କିରୂବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ଼୍‍ଗ ସ୍ଥାପନ କଲେ।

Tô màu

Chia sẻ

Sao chép

None

Bạn muốn lưu những tô màu trên tất cả các thiết bị của mình? Đăng ký hoặc đăng nhập