ଯୋହନ 13
13
ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ
1ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବାର ସମୟ ଉପସ୍ଥିତ ଜାଣି, ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ସେମାନଙ୍କ ପ୍ରତି ଚୂଡ଼ା; ପ୍ରେମ ପ୍ରକାଶ କଲେ।
2ଆଉ, ରାତ୍ରିଭୋଜ ସମୟରେ, ଯେତେବେଳେ ଶୟତାନ ଶିମୋନର ପୁତ୍ର ଇଷ୍କାରିୟୋତୀୟ ଯିହୂଦାର ହୃଦୟରେ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରିସାରିଥିଲା,
3ସେତେବେଳେ, ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ଵରଙ୍କ ନିକଟରୁ ଆସିଅଛନ୍ତି, ପୁଣି ଈଶ୍ଵରଙ୍କ ନିକଟକୁ ଯାଉଅଛନ୍ତି,
4ଏହା ଜାଣି ସେ ଭୋଜନ ଆସନରୁ ଉଠି ଆପଣାର ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟୀ ବନ୍ଧନ କଲେ।
5ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି ଶିଷ୍ୟମାନଙ୍କ ପାଦ ଧୋଇଦେଇ ଆପଣା କଟୀରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ।
6କ୍ରମେ ସେ ଶିମୋନ ପିତରଙ୍କ ନିକଟକୁ ଆସିଲେ; ସେ ତାହାଙ୍କୁ କହିଲେ, ପ୍ରଭୋ, ଆପଣ ମୋର ପାଦ ଧୋଇଦେଉଅଛନ୍ତି?
7ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ଯାହା କରୁଅଛି, ତାହା ତୁମ୍ଭେ ଏବେ ଜାଣୁ ନାହଁ, କିନ୍ତୁ ପରେ ବୁଝିବ।
8ପିତର ତାହାଙ୍କୁ କହିଲେ, ଆପଣ କଦାପି କେବେ ହେଁ ମୋର ପାଦ ଧୋଇଦେବେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଧୌତ ନ କରେ, ତାହାହେଲେ ମୋʼ ସହିତ ତୁମ୍ଭର କୌଣସି ଅଂଶ ନାହିଁ।
9ଶିମୋନ ପିତର ତାହାଙ୍କୁ କହିଲେ, ପ୍ରଭୋ, କେବଳ ମୋର ପାଦ ନୁହେଁ, ମାତ୍ର ମୋହର ହସ୍ତ ଓ ମସ୍ତକ ମଧ୍ୟ।
10ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି, ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ, ସେ ପ୍ରକୃତରେ ଶୁଚି; ତୁମ୍ଭେମାନେ ଶୁଚି ଅଟ, କିନ୍ତୁ ସମସ୍ତେ ନୁହଁ।
11କାରଣ ଯେ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ, ସେ ତାକୁ ଜାଣିଥିଲେ; ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ଶୁଚି ନୁହଁ।
12ତତ୍ପରେ ସେ ସେମାନଙ୍କର ପାଦ ଧୋଇଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, ମୁଁ ତୁମ୍ଭମାନଙ୍କ ପ୍ରତି କଅଣ କରିଅଛି, ତାହା କି ତୁମ୍ଭେମାନେ ବୁଝୁଅଛ?
13ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ; କାରଣ ମୁଁ ତ ସେହି।
14ଅତଏବ, ପ୍ରଭୁ ଓ ଗୁରୁ ଯେ ମୁଁ, ମୁଁ ଯଦି ତୁମ୍ଭମାନଙ୍କର ପାଦ ଧୋଇଦେଇଅଛି, ତେବେ ତୁମ୍ଭମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ।
15କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି।
16ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଦାସ ଆପଣା କର୍ତ୍ତାଠାରୁ ଶ୍ରେଷ୍ଠ ନୁହେଁ, କିମ୍ଵା ପ୍ରେରିତ ଆପଣା ପ୍ରେରକଠାରୁ ଶ୍ରେଷ୍ଠ ନୁହେଁ।
17ଯଦି ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହିପ୍ରକାର କଲେ ତୁମ୍ଭେମାନେ ଧନ୍ୟ।
18ମୁଁ ତୁମ୍ଭ ସମସ୍ତଙ୍କ ସମ୍ଵନ୍ଧରେ କହୁ ନାହିଁ; କେଉଁ ପ୍ରକାର ଲୋକମାନଙ୍କୁ ମୁଁ ମନୋନୀତ କରିଅଛି, ତାହା ମୁଁ ଜାଣେ; କିନ୍ତୁ ଧର୍ମଶାସ୍ତ୍ରର ଏହି ବାକ୍ୟ ଯେପରି ସଫଳ ହୁଏ, ସେଥିପାଇଁ ଏହିପରି ଘଟୁଅଛି, ଯେ ମୋହର ଅନ୍ନ ଖାଏ, ସେ ମୋହର ବିରୁଦ୍ଧରେ ଗୋଇଠା ଉଠାଇଲା।
19ତାହା ଘଟିବା ସମୟରେ, ମୁଁ ସେହି ଅଟେ ବୋଲି ତୁମ୍ଭେମାନେ ଯେପରି ବିଶ୍ଵାସ କର, ଏଥିନିମନ୍ତେ ତାହା ଘଟିବା ପୂର୍ବେ ମୁଁ ବର୍ତ୍ତମାନ ତୁମ୍ଭମାନଙ୍କୁ କହୁଅଛି।
20ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେ ମୋହର ପ୍ରେରିତ ବ୍ୟକ୍ତିଙ୍କି ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ ଓ ଯେ ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣଣକରେ।
ବିଶ୍ଵାସଘାତକ ସମ୍ପର୍କରେ ଯୀଶୁଙ୍କ ସୂଚନା
21ଯୀଶୁ ଏହିସମସ୍ତ କଥା କହିଲା ଉତ୍ତାରେ ଆତ୍ମାରେ ଉଦ୍ବିଗ୍ନ ହେଲେ ଓ ସାକ୍ଷ୍ୟ ଦେଇ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋତେ ଶତ୍ରୁହସ୍ତରେ ସମର୍ପଣ କରିବମ।
22ସେ କାହା ସମ୍ଵନ୍ଧରେ କହିଲେ, ସେ ବିଷୟରେ ହତବୁଦ୍ଧି ହୋଇ ଶିଷ୍ୟମାନେ ପରସ୍ପରକୁ ଚାହିଁବାକୁ ଲାଗିଲେ।
23ଯୀଶୁଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ - ଯାହାକୁ ଯୀଶୁ ପ୍ରେମ କରୁଥିଲେ - ସେ ଯୀଶୁଙ୍କ ଦକ୍ଷିଣ ପାଖରେ ବସି ଭୋଜନ କରୁଥିଲେ।
24ଅତଏବ, ଶିମୋନ ପିତର ତାଙ୍କୁ ସଙ୍କେତ କରି କହିଲେ, ସେ କାହା ସମ୍ଵନ୍ଧରେ କହୁଅଛନ୍ତି, ତାହା କୁହ।
25ସେ ସେହିପ୍ରକାର ବସିଥାଇ ଯୀଶୁଙ୍କ ବକ୍ଷସ୍ଥଳରେ ଆଉଜିପଡ଼ି ତାହାଙ୍କୁ ପଚାରିଲେ, ପ୍ରଭୋ, ସେ କିଏ?
26ତେଣୁ ଯୀଶୁ ଉତ୍ତର ଦେଲେ, ଯାହା ନିମନ୍ତେ ମୁଁ ଏହି ରୋଟୀଖଣ୍ତକ ବୁଡ଼ାଇବି ଓ ଯାହାକୁ ତାହା ଦେବି, ସେ। ତହିଁରେ ସେ ସେହି ରୋଟୀଖଣ୍ତକ ବୁଡ଼ାଇ ତାହା ଘେନି ଇଷ୍କାରିୟୋତୀୟ ଶିମୋନର ପୁତ୍ର ଯିହୂଦାକୁ ଦେଲେ।
27ସେ ରୋଟୀଖଣ୍ତକ ପାଇଲା ଉତ୍ତାରେ ଶୟତାନ ତାହା ମଧ୍ୟରେ ପ୍ରବେଶ କଲା। ସେଥିରେ ଯୀଶୁ ତାକୁ କହିଲେ, ଯାହା କରୁଅଛ, ତାହା ଶୀଘ୍ର କର।
28କିନ୍ତୁ ସେ କି ଉଦ୍ଦେଶ୍ୟରେ ତାକୁ ଏହି କଥା କହିଥିଲେ, ତାହା ଭୋଜରେ ବସିଥିବା ଲୋକମାନଙ୍କ ମଧ୍ୟରୁ କେହି ଜାଣିଲେ ନାହିଁ।
29କାରଣ ଯିହୂଦା ନିକଟରେ ଟଙ୍କାଥଳୀ ଥିବାରୁ, ପର୍ବ ନିମନ୍ତେ ଯାହା ଯାହା ପ୍ରୟୋଜନ, ତାହା କ୍ରୟ କରିବାକୁ କିମ୍ଵା ଦରିଦ୍ରମାନଙ୍କୁ କିଛି ଦାନ କରିବାକୁ ଯୀଶୁ ତାକୁ କହିଲେ ବୋଲି କେହି କେହି ମନେ କଲେ।
ନୂତନ ଆଜ୍ଞା
30ରୋଟୀଖଣ୍ତକ ଗ୍ରହଣ କରି ସେ ତତ୍କ୍ଷଣାତ୍ ବାହାରିଗଲା, ସେତେବେଳେ ରାତ୍ରିକାଳ।
31ସେ ବାହାରିଗଲା ଉତ୍ତାରେ ଯୀଶୁ କହିଲେ, ଏବେ ମନୁଷ୍ୟପୁତ୍ର ମହିମାନ୍ଵିତ ହେଲେ ଓ ତାହାଙ୍କଠାରେ ଈଶ୍ଵର ମହିମାନ୍ଵିତ ହେଲେ।
32ଯଦି ଈଶ୍ଵର ତାହାଙ୍କଠାରେ ମହିମାନ୍ଵିତ ହେଲେ, ତେବେ ଈଶ୍ଵର ମଧ୍ୟ ତାହାଙ୍କୁ ଆପଣାଠାରେ ମହିମାନ୍ଵିତ କରିବେ, ପୁଣି ଶୀଘ୍ର ତାହାଙ୍କୁ ମହିମାନ୍ଵିତ କରିବେ।
33ବତ୍ସଗଣ, ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସାଙ୍ଗରେ ଅଛି। ତୁମ୍ଭେମାନେ ମୋହର ଅନ୍ଵେଷଣ କରିବ; ଆଉ ମୁଁ ଯେଉଁ ସ୍ଥାନକୁ ଯାଉଅଛି, ତୁମ୍ଭେମାନେ ସେ ସ୍ଥାନକୁ ଯାଇ ପାର ନାହିଁ, ଏହା ମୁଁ ଯେପରି ଯିହୁଦୀମାନଙ୍କୁ କହିଲି, ସେହିପରି ଏବେ ତୁମ୍ଭମାନଙ୍କୁ ମଧ୍ୟ କହୁଅଛି।
34ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ଏହି ନୂତନ ଆଜ୍ଞା ମୁଁ ତୁମ୍ଭମାନଙ୍କୁ ଦେଉଅଛି; ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ତୁମ୍ଭେମାନେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କର।
35ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତଦ୍ଦ୍ଵାରା ଜ୍ଞାତ ହେବେ।
ପିତରଙ୍କ ଅସ୍ଵୀକାରର ପୂର୍ବ ସୂଚନା
36ଶିମୋନ ପିତର ତାହାଙ୍କୁ ପଚାରିଲେ, ପ୍ରଭୋ, ଆପଣ କେଉଁଠାକୁ ଯାଉଅଛନ୍ତି? ଯୀଶୁ ଉତ୍ତର ଦେଲେ, ମୁଁ ଯେଉଁଠାକୁ ଯାଉଅଛି, ତୁମ୍ଭେ ବର୍ତ୍ତମାନ ମୋହର ପଛେ ପଛେ ସେଠାକୁ ଯାଇ ପାର ନାହିଁ, କିନ୍ତୁ ପରେ ଯିବ।
37ପିତର ତାହାଙ୍କୁ ପଚାରିଲେ, ପ୍ରଭୋ, ମୁଁ ବର୍ତ୍ତମାନ କାହିଁକି ଆପଣଙ୍କ ପଛେ ପଛେ ଯାଇ ପାରେ ନାହିଁ? ମୁଁ ଆପଣଙ୍କ ନିମନ୍ତେ ନିଜ ପ୍ରାଣ ଦେବି।
38ଯୀଶୁ ଉତ୍ତର ଦେଲେ, ତୁମ୍ଭେ କଅଣ ମୋʼ ନିମନ୍ତେ ନିଜ ପ୍ରାଣ ଦେବ? ସତ୍ୟ ସତ୍ୟ ମୁଁ ତୁମ୍ଭକୁ କହୁଅଛି, କୁକୁଡ଼ା ନ ଡାକୁଣୁ ତୁମ୍ଭେ ମୋତେ ତିନି ଥର ଅସ୍ଵୀକାର କରିବ।
Terpilih Sekarang Ini:
ଯୋହନ 13: ODIAOV-BSI
Highlight
Kongsi
Salin
Ingin menyimpan sorotan merentas semua peranti anda? Mendaftar atau log masuk
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.