ଯୋହନ 1
1
ଜୀବନ୍ତ, ଦେହବ; ବାକ୍ୟ
1ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ଵରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ଵର ଥିଲେ।
2ସେ ଆଦ୍ୟରେ ଈଶ୍ଵରଙ୍କ ସହିତ ଥିଲେ।
3ତାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ ହେଲା; ଆଉ ଯେସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।
4ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ।
5ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ଵଲ୍ୟମାନ ହୋଇ-ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ।
6ଈଶ୍ଵରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।
7ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ଵାରା ସମସ୍ତେ ବିଶ୍ଵାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।
8ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।
9ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ।
10ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ଵାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।
11ସେ ଆପଣା ରାଜ୍ୟକୁଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।
12ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ଵାସ କଲେ, ସେସମସ୍ତଙ୍କୁ ସେ ଈଶ୍ଵରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;
13ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ଵରଙ୍କଠାରୁ ଜାତ ହେଲେ।
14ଆଉ, ସେହି ବାକ୍ୟ ଦେହବ; ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ଵିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ ।
15ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚ ସ୍ଵରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।
16ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହ ପ୍ରାପ୍ତ ହୋଇଅଛୁ।
17କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ଵାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଉପସ୍ଥିତ ହେଲା।
18କେହି କେବେ ଈଶ୍ଵରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ଵିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।
ବାପ୍ତିଜକ ଯୋହନଙ୍କ ସାକ୍ଷ୍ୟ
19ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀମାନେ ଯେତେବେଳେ ଯିରୂଶାଲମରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେ-ବେଳେ ସେ ଏହି ସାକ୍ଷ୍ୟ ଦେଲେ,
20ସେ ସ୍ଵୀକାର କଲେ, ଅସ୍ଵୀକାର କଲେ ନାହିଁ; ସେ ସ୍ଵୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ।
21ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅ? ଆପଣ କଅଣ ଏଲୀୟ? ସେ କହିଲେ, ମୁଁ ନୁହେଁ। ଆପଣ କଅଣ ସେହି ଭାବବାଦୀ? ସେ ଉତ୍ତର ଦେଲେ, ନା।
22ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇ ପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି?
23ସେ କହିଲେ, ଯିଶାଇୟ ଭାବବାଦୀ ଯେପରି କହିଥିଲେ, ମୁଁ ସେହି ପ୍ରକାର ପ୍ରାନ୍ତରରେ ଉଚ୍ଚ ଶଦ୍ଦ କରୁଥିବା ଜଣକର ସ୍ଵର, ପ୍ରଭୁଙ୍କ ପଥ ସଳଖ କର।
24ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ।
25ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହନ୍ତି, ତାହା ହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି?
26ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ;
27ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।
28ଯର୍ଦ୍ଦନର ପରପାରସ୍ଥ ଯେଉଁ ବେଥନୀଆରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା।
ଈଶ୍ଵରଙ୍କ ମେଷଶାବକ
29ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ଵରଙ୍କ ମେଷଶାବକ, ଯେ ଜଗତର ପାପ ବହିନେଇଯାଆନ୍ତି।
30ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।
31ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି।
32ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ।
33ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି।
34ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ଵରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି।
ପ୍ରଥମ ଶିଷ୍ୟଙ୍କୁ ଆହ୍ଵାନ
35ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ;
36ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ଵରଙ୍କ ମେଷଶାବକ।
37ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ।
38ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, ତୁମ୍ଭେମାନେ କଅଣ ଖୋଜୁଅଛ? ସେମାନେ ତାହାଙ୍କୁ ପଚାରିଲେ, ରାବ୍ବୀ (ଅନୁବାଦ କଲେ ଏହାର ଅର୍ଥ ଗୁରୁ), ଆପଣ କେଉଁଠାରେ ରୁହନ୍ତି?
39ସେ ସେମାନଙ୍କୁ କହିଲେ, ଆସ, ଦେଖିବ। ସେଥିରେ ସେମାନେ ଯାଇ ତାହାଙ୍କ ବସା ଦେଖିଲେ, ପୁଣି ସେହି ଦିନ ତାହାଙ୍କ ସାଙ୍ଗରେ ରହିଲେ; ସେତେବେଳେ ସକାଳ ପ୍ରାୟ ଦଶ ଘଣ୍ଟା ହୋଇଥିଲା।
40ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରୀୟ ଥିଲେ।
41ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅନୁବାଦ କଲେ ଏହି ନାମର ଅର୍ଥ ଖ୍ରୀଷ୍ଟ।।) ଦେଖା ପାଇଅଛୁ।
42ସେ ତାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ଯୀଶୁ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କେଫା (ଅନୁବାଦ କଲେ ଏହାର ଅର୍ଥ ପିତର) ନାମରେ ଖ୍ୟାତ ହେବ।
ଫିଲିପ୍ପ ଓ ନିଥନିୟେଲଙ୍କୁ ଆହ୍ଵାନ
43ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାଙ୍କୁ କହିଲେ, ମୋହର ଅନୁଗମନ କର।
44ଫିଲିପ୍ପ ବେଥ୍ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରୀୟ ଓ ପିତରଙ୍କର ନଗର ଥିଲା।
45ଫିଲିପ୍ପ ନିଥନିୟେଲଙ୍କ ଦେଖା ପାଇ ତାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।
46ନିଥନିୟେଲ ତାଙ୍କୁ ପଚାରିଲେ, ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ? ଫିଲିପ୍ପ ତାଙ୍କୁ କହିଲେ, ଆସି ଦେଖ।
47ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାଙ୍କ ବିଷୟରେ କହିଲେ, ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।
48ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ? ଯୀଶୁ ତାଙ୍କୁ ଉତ୍ତର ଦେଲେ, ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମିରି ଗଛ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।
49ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ରାବ୍ବୀ, ଆପଣ ଈଶ୍ଵରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା।
50ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ଡିମିରି ଗଛ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ଵାସ କରୁଅଛ? ତୁମ୍ଭେ ଏହାଠାରୁ ଆହୁରି ମହତ୍ ମହତ୍ ବିଷୟ ଦେଖିବ।
51ପୁଣି, ସେ ତାହାଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ଵର୍ଗକୁ ଉନ୍ମୁକ୍ତ ଓ ଈଶ୍ଵରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ।
Àwon tá yàn lọ́wọ́lọ́wọ́ báyìí:
ଯୋହନ 1: ODIAOV-BSI
Ìsàmì-sí
Pín
Daako
Ṣé o fẹ́ fi àwọn ohun pàtàkì pamọ́ sórí gbogbo àwọn ẹ̀rọ rẹ? Wọlé pẹ̀lú àkántì tuntun tàbí wọlé pẹ̀lú àkántì tí tẹ́lẹ̀
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.