ଯୋହନ 4
4
ଯୀଶୁ ଓ ଶମିରୋଣୀୟ ସ୍ତ୍ରୀ
1ଫାରୁଶୀମାନେ ଶୁଣିଲେ ଯେ ଯୀଶୁ ଦୀକ୍ଷାଦାତା ଯୋହନଙ୍କ ଅପେକ୍ଷା ଅଧିକ ଲୋକଙ୍କୁ ଶିଷ୍ୟ କରି ସେମାନଙ୍କୁ ଜଳଦୀକ୍ଷା ଦେଉଛନ୍ତି। 2(ପ୍ରକୃତ ପକ୍ଷେ, ଯୀଶୁ ନିଜେ କାହାକୁ ଜଳଦୀକ୍ଷା ଦେଉ ନ ଥିଲେ; ସେହି ଦୀକ୍ଷା ତାଙ୍କ ଶିଷ୍ୟମାନେ ଦେଉଥିଲେ।) 3ତାଙ୍କ ବିଷୟରେ ଲୋକେ ଏ ପ୍ରକାର କଥାବାର୍ତ୍ତା ହେଉଥିବାର ଶୁଣି ଯୀଶୁ ଯିହୁଦା ପ୍ରଦେଶ ଛାଡ଼ି ଗାଲିଲୀକୁ ଫେରିଗଲେ। 4ଗାଲିଲୀକୁ ଯିବା ବାଟରେ ତାଙ୍କୁ ଶମିରୋଣ ଅଞ୍ଚଳ ଦେଇ ଯିବାକୁ ପଡ଼ିଲା ଏବଂ ସୁଖାର୍ ନାମକ ଏକ ଶମିରୋଣୀୟ ସହରରେ ସେ ଆସି ପହଞ୍ôଚଲେ।
5ଏହି ସହରର ନିକଟବର୍ତ୍ତୀ ଖଣ୍ଡିଏ ଜମିକୁ ଯାକୁବ ତାଙ୍କ ପୁତ୍ର ଯୋଷେଫଙ୍କୁ ଦାନ କରିଥିଲେ#ଆଦି. ୩୩:୧୯; ଯିହୋଶୁୟ ୨୪:୩୨। 6ଏବଂ ସେଠାରେ “ଯାକୁବଙ୍କ ପୂପ” ନାମକ ଗୋଟିଏ କୂପ ପାଖରେ ଯୀଶୁ ପଥଶ୍ରାନ୍ତ ହୋଇ ବସି ପଡ଼ିଲେ। ସେତେବେଳେ ମଧ୍ୟାହ୍ନ ସମୟ।
7ଯୀଶୁ ସେଠାରେ ବସିଥିବା ବେଳେ ଜଣେ ଶମିରୋଣୀୟ ସ୍ତ୍ରୀ ଲୋକ ପାଣି କାଢ଼ିବା ପାଇଁ ସେହି କୂପ ନିକଟକୁ ଆସିଲା। ଯୀଶୁ ତାକୁ କହିଲେ: “ମୋତେ ପଇବାକୁ ଟିକିଏ ପାଣି ଦିଅ।” 8ସେହି ସମୟରେ ତାଙ୍କ ଶିଷ୍ୟମାନେ କିଛି ଖାଦ୍ୟ ପଦାର୍ଥ କିଣିବା ପାଇଁ ସହର ଭିତରକୁ ଯାଇଥିଲେ।
9ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ଆପଣ ଜଣେ ଇହୁଦୀ, ମୁଁ ଜଣେ ଶମିରୋଣୀୟ। ମୋ’ ହାତରୁ ଆପଣ କିପରି ପାଣି ପିଇବେ?”#ଏଜ୍ରା ୪:୧-୫; ନିହିମିୟା ୪:୧-୨। (ଇହୁଦୀମାନଙ୍କ ପକ୍ଷେ ଶମିରୋଣୀୟମାନେ ଅସ୍ପୃଶ୍ୟ ଥିଲେ।)
10ଯୀଶୁ ତାଙ୍କୁ କହିଲେ: “ଈଶ୍ୱର କ’ଣ ଦେଇ ପାରନ୍ତି, ତୁମେ ଯଦି ଜାଣି ଥାଆନ୍ତି ଏବଂ କିଏ ତୁମ ହାତରୁ ପିଇବାକୁ ଚାହୁଁଛନ୍ତି, ତାଙ୍କୁ ଯଦି ଜାଣି ଥାଆନ୍ତ, ତୁମେ ତାଙ୍କୁ ମାଗନ୍ତ ଓ ସେ ତୁମକୁ ଜୀବନ ପ୍ରଦାୟୀ ଜଳ ଦେଇ ଥାଆନ୍ତେ।”
11ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ଆପଣଙ୍କ ପାଖରେ ତ ପାଣି କାଢ଼ିବା ପାଇର୍ ପାତ୍ର ନାହିଁ, ପୁଣି ଏ କୂଅ ବଡ଼ ଗଭୀର। କେଉଁଠାରୁ ଆପଣ ସେହି ଜଳ ପାଇବେ? 12ଆମ ପୂର୍ବପୁରୁଷ ଯାକୁବ ଏହି କୂଅ ଖୋଳାଇଥିଲେ। ସେ, ତାଙ୍କ ପୁଅମାନେ ଓ ତାଙ୍କ ପଶୁପଲ ଏଇ କୂଅରୁ ପାଣି ପିଉଥିଲେ। ଆପଣ କଅଣ ଯାକୁବଙ୍କଠାରୁ ମହାନ୍?” 13ଯୀଶୁ ଉତ୍ତର ଦେଲେ; “ଏହି କୂପର ଜଳ ଯେ ପାନ କରେ, ସେ ପୁନର୍ବାର ତୃଷିତ ହୁଏ, 14କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”
15ସ୍ତ୍ରୀ ଲୋକଟି କହିଲା, “ସେହି ଜଳ ମୋତେ ଦିଅନ୍ତୁ ଆଜ୍ଞା! ତାହାହେଲେ ଆଉ କେବେ ମୋତେ ଶୋଷ ହେବ ନାହିଁ; ପାରି କାଢ଼ିବା ପାଇଁ ଏହି କୂଅକୁ ଆଉ ଆସିବାକୁ ପଡ଼ିବ ନାହିଁ।”
16ଯୀଶୁ ତାକୁ କହିଲେ: “ଯାଅ, ତୁମ ସ୍ୱାମୀଙ୍କୁ ଡାକି ଆଣ।”
17ତା’ର ସ୍ୱାମୀ ନାହିଁ ବୋଲି ସେ କହିବାରୁ ଯୀଶୁ କହିଲେ: “ତୁମର ସ୍ୱାମୀ ନାହାନ୍ତି ବୋଲି କହି ସତ କହିଛ। 18ତୁମର ପାଞ୍ଚ ଜଣ ସ୍ୱାମୀ ଥିଲେ, କିନ୍ତୁ ବର୍ତ୍ତମାନ ଯାହା ସହିତ ରହୁଛ, ସେ ତୁମର ସ୍ୱାମୀ ନୁହନ୍ତି।”
19ସ୍ତ୍ରୀ ଲୋକଟି କହିଲା, “ଆଜ୍ଞା, ମୁଁ ଜାଣିପାରୁଛି, ଆପଣ ଜଣେ ଭାବବାଦୀ। 20ଆମ ଶମିରୋଣୀୟ ପୂର୍ବପୁରୁଷମାନେ ଏହି ପର୍ବତ ଉପରେ ଉପାସନା କରି ଆସିଛନ୍ତି; କିନ୍ତୁ ଆପଣଙ୍କର ଇହୁଦୀମାନେ କହୁଛନ୍ତି, ଈଶ୍ୱରଙ୍କୁ ଉପାସନା କରିବାର ଉପଯୁକ୍ତ ସ୍ଥାନ ହେଉଛି ଯିରୂଶାଲମ।”
21ଯୀଶୁ କହିଲେ: “ମୋତେ ବିଶ୍ୱାସ କର; ସମୟ ଆସୁଛି, ଯେତେବେଳେ ଲୋକେ ମୋ’ ପିତା ଈଶ୍ୱରଙ୍କୁ ଏହି ପର୍ବତ ଉପରେ ବା ଯିରୂଶାଲମରେ ଆଉ ଉପାସନା କରିବେ ନାହିଁ। 22ତୁମେ ଶମିରୋଣୀୟମାନେ କାହାର ଉପାସନା କରୁଛ, ପ୍ରକୃତରେ ଜାଣ ନାହିଁ; କିନ୍ତୁ ଆମେ ଇହୁଦୀମାନେ ଜାଣୁ ଆମେ କାହାର ଉପାସନା କରୁଛୁ, କାରଣ ଇହୁଦୀମାନଙ୍କଠାରୁ ପରିତ୍ରାଣର ସନ୍ଧାନ ମିଳେ। 23ସମୟ ଆସୁଛି ଓ ସେ ସମୟ ଆସିଗଲାଣି, ଯେତେବେଳେ ସ୍ୱୟଂ ପବିତ୍ରଆତ୍ମାଙ୍କ ଶକ୍ତିରେ ଲୋକେ ପିତା ଈଶ୍ୱରଙ୍କ ସ୍ପଷ୍ଟ ପରିଚୟ ପାଇବେ। ସେତେବେଳେ ସେମାନେ ତାଙ୍କୁ ଯଥାର୍ଥ ଭାବରେ ଅନ୍ତରାତ୍ମା ସହ ଆରାଧନା କରିବେ। ଏହିପରି ଉପାସନା ସେ ଚାହାଁନ୍ତି। 24ଈଶ୍ୱର ହିଁ ପରମାତ୍ମା। ସତ୍ୟ ଓ ଆତ୍ମାରେ ପୂର୍ଣ୍ଣ ହୋଇ ଉପାସକମାନେ ତାଙ୍କର ଉପାସନା କରିବା ଉଚିତ।”
25ସ୍ତ୍ରୀ ଲୋକଟି କହିଲା, “ମୁଁ ଜାଣେ, ମସୀହ ଆସିବେ। ସେତେବେଳେ ସେ ଆମକୁ ସବୁ ବିଷୟ ବୁଝାଇ ଦେବେ।”
26ଯୀଶୁ ତାକୁ ଉତ୍ତର ଦେଇ କହିଲେ: “ମୁଁ ସେହି- ସେହି ବ୍ୟକ୍ତି ହିଁ ବର୍ତ୍ତମାନ ତୁମ ସହିତ କଥା କହୁଛନ୍ତି।”
27ଏହି ସମୟରେ ଶିଷ୍ୟମାନେ ସେଠାକୁ ଫେରି ଆସି ଯୀଶୁ ଗୋଟିଏ ସ୍ତ୍ରୀ ଲୋକ ସହିତ କଥାବାର୍ତ୍ତା କରୁଥିବା ଦେଖି ବିସ୍ମିତ ହେଲେ। କିନ୍ତୁ “ତୁମେ କଅଣ ଚାହଁ” ବୋଲି କେହି ତାକୁ ପଚାରିଲେ ନାହିଁ, କିମ୍ବା “ତା’ ସହିତ କାହିଁକି ଆଳାପ କରୁଥିଲେ” ବୋଲି ଯୀଶୁଙ୍କୁ ମଧ୍ୟ ପଚାରିବାକୁ ସାହାସ କଲେ ନାହିଁ।
28ଏହାପରେ ସେହି ସ୍ତ୍ରୀ ଲୋକଟି ସେଠାରେ ତା’ର ଜଳପାତ୍ର ଛାଡ଼ି ଦେଇ ସହର ଭିତରକୁ ଯାଇ ଲୋକମାନଙ୍କୁ କହିଲା, 29“ଜଣେ ଲୋକଙ୍କୁ ଦେଖିବ ଆସ। ମୁଁ ଜୀବନରେ ଯାହା କରିଛି, ସେ ମୋତେ ସବୁ କହି ଦେଇଛନ୍ତି। ଏ ମସୀହ ହୋଇଥିବେ ପରା!” 30ଏକଥା ଶୁଣି ଲୋକମାନେ ସହର ବାହାରକୁ ଯାଇ ଯୀଶୁଙ୍କୁ ଭେଟିଲେ।
31ଇତି ମଧ୍ୟରେ ଶିଷ୍ୟମାନେ ଯୀଶୁଙ୍କୁ କିଛି ଖାଇବା ପାଇଁ ଅନୁରୋଧ କଲେ।
32କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୋ’ ପାଖରେ ଯେଉଁ ଖାଦ୍ୟ ଅଛି, ତାହା ବିଷୟରେ ତୁମ୍ଭେମାନେ କିଛି ଜାଣ ନାହିଁ।”
33ଶିଷ୍ୟମାନେ ପରସ୍ପରକୁ ପଚାରିଲେ, “କିଏ ତାଙ୍କୁ କିଛି ଖାଦ୍ୟ ଆଣି ଦେଇଛି କି?”
34ଯୀଶୁ କହିଲେ, “ମୋର ପ୍ରେରଣକର୍ତ୍ତାଙ୍କ ଇଚ୍ଛାର ବାଧ୍ୟ ହୋଇ ତାଙ୍କ ଦେଇଥିବା କାର୍ଯ୍ୟ ସାଧନ କରିବା ହିଁ ମୋର ଖାଦ୍ୟ। 35ତୁମ୍ଭେମାନେ କହିଥାଅ, ‘ଆଉ ଚାରି ମାସ ପରେ ଫସଲ କାଟିବାର ସମୟ ଆସିବ’। କିନ୍ତୁ ମୁଁ କହୁଛି, କ୍ଷେତଗୁଡ଼ିକୁ ଭଲ କରି ଚାହିଁ ଦେଖ। ବର୍ତ୍ତମାନ ଶସ୍ୟ ସବୁ ପାଚି ଯାଇଛି ଓ ଅମଳ ପାଇଁ ଉପଯୁକ୍ତ ହୋଇ ସାରିଛି। 36ଶସ୍ୟକଟାଳିକୁ ମଜୁରି ଦିଆଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତଦ୍ଦ୍ୱାରା ବୀଜବୁଣାଳି ଓ ଶସ୍ୟ କଟାଳି ଉଭୟେ ଆନନ୍ଦିତ ହେବେ। ‘ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ’ - 37ଏ କଥା ମଧ୍ୟ ଏଠାରେ ସଫଳ ହେବ। 38ତୁମେ ଯେଉଁ କ୍ଷେତରେ କାର୍ଯ୍ୟ କରି ନାହଁ, ସେଠାରେ ଅମଳ କରିବା ପାଇଁ ତୁମକୁ ମୁଁ ପଠାଇଛି। ଅନ୍ୟମାନେ ସେଠି ପରିଶ୍ରମ କରିଛନ୍ତି, କିନ୍ତୁ ତୁମେ ଲାଭବାନ ହେବ।”
39ସେହି ସହରର ଅନେକ ଶମିରୋଣୀୟ ଯୀଶୁଙ୍କୁ ବିଶ୍ୱାସ କଲେ, କାରଣ ସ୍ତ୍ରୀ ଲୋକଟି ସେମାନଙ୍କୁ କହିଥିଲା, “ଅତୀତରେ ମୁଁ ଯାହାସବୁ କରିଛି, ସେସବୁ କଥା ସେ ମୋତେ କହିଦେଲେ।” 40ଶମିରୋଣୀୟମାନେ ଯୀଶୁଙ୍କ ନିକଟକୁ ଆସି ସେମାନଙ୍କ ସହିତ ଆଉ କିଛି ଦିନ ରହିବା ପାଇଁ ତାଙ୍କୁ ଅନୁରୋଧ କଲେ। ଯୀଶୁ ସେମାନଙ୍କ ସହିତ ଆଉ ଦୁଇ ଦିନ ରହିଲେ।
41ଯୀଶୁଙ୍କ ବାର୍ତ୍ତା ଶୁଣି ଆହୁରି ଅନେକେ ତାଙ୍କୁ ବିଶ୍ୱାସ କଲେ। 42ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, “କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇ ନାହିଁ; ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହି ବିଶ୍ୱାସ ଆମର ହୋଇଛି।”
ଯୀଶୁ ଜଣେ ରାଜକର୍ମଚାରୀର ପୁତ୍ରକୁ ସୁସ୍ଥ କଲେ
43ସେଠାରେ ଦୁଇ ଦିନ ରହି ଯୀଶୁ ଗାଲିଲୀକୁ ପ୍ରସ୍ଥାନ କଲେ। 44କାରଣ ସେ ଆଗରୁ କହିଥିଲେ, ଜଣେ ଭାବବାଦୀ ନିଜ ଦେଶରେ ସମ୍ମାନିତ ହୁଅନ୍ତି ନାହିଁ।”#ମାଥିଉ ୧୩:୫୭; ମାର୍କ ୬:୪; ଲୂକ ୪:୨୪। 45ଗାଲିଲୀର ଲୋକମାନେ ଯୀଶୁଙ୍କୁ ସ୍ୱାଗତ କଲେ, କାରଣ ନିସ୍ତାର ପର୍ବବେଳେ ଯିରୂଶାଲମରେ ଯୀଶୁ କରିଥିବା କାର୍ଯ୍ୟ ସବୁ ସେମାନେ ଦେଖିଥିଲେ।#ଯୋହନ ୨:୨୩।
46ତା’ପରେ ଯୀଶୁ ଗାଲିଲୀର କାନ୍ନା ସହରକୁ ଫେରିଗଲେ। ସେଠାରେ ସେ ଜଳକୁ ଦ୍ରାକ୍ଷାରସରେ ପରିଣତ କରିଥିଲେ।#ଯୋହନ ୨:୧-୧୧। 47ସେଠାରେ ଥିବା ଜଣେ ରାଜକର୍ମଚାରୀଙ୍କ ପୁତ୍ର କପର୍ନାହୂମରେ ପୀଡ଼ିତ ଥିଲା। ଯୀଶୁ ଯିହୁଦାରୁ ଗାଲିଲୀକୁ ଆସିଛନ୍ତି ବୋଲି ଶୁଣି, ଉକ୍ତ କର୍ମଚାରୀ ଯୀଶୁଙ୍କ ନିକଟକୁ ଗଲେ। ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ତାଙ୍କ ପୁତ୍ରକୁ ସୁସ୍ଥ କରିବା ପାଇଁ କପର୍ନାହୂମ ଯିବାକୁ ସେ ଯୀଶୁଙ୍କୁ ଅନୁରୋଧ କଲେ। 48ଯୀଶୁ ତାଙ୍କୁ କହିଲେ: “ଅଦ୍ଭୁତ ଓ ଅଲୌକିକ କାର୍ଯ୍ୟମାନ ନ ଦେଖିଲେ, ତୁମ୍ଭେମାନେ କେବେହେଲେ ବିଶ୍ୱାସ କରିବ ନାହିଁ।”
49ସେହି କର୍ମଚାରୀ କହିଲେ, “ଆଜ୍ଞା, ମୋ’ ପୁଅ ମରିବା ପୂର୍ବରୁ ମୋ’ ସଙ୍ଗରେ ଆସନ୍ତୁ।” 50ଯୀଶୁ ତାଙ୍କ ଅଭୟ ଦେଇ କହିଲେ: “ଯାଅ, ତୁମ ପୁଅ ବଞ୍ଚିବ।”
ରାଜକର୍ମଚାରୀ ଯୀଶୁଙ୍କ କଥାରେ ବିଶ୍ୱାସ କରି ସେଠାରୁ ଚାଲିଗଲେ 51ଏବଂ ଘରକୁ ଫେରିଯିବା ବେଳେ, ଚାକରମାନେ ଆସି ଖବର ଦେଲେ ଯେ ତାଙ୍କ ପୁତ୍ର ସୁସ୍ଥ ହୋଇଯାଇଛି।
52ଠିକ୍ କେତେବେଳେ ପିଲାଟି ସୁସ୍ଥ ହୋଇଥିଲା, ସେ ପଚାରିବାରୁ ଚାକରମାନେ ଉତ୍ତର ଦେଲେ, “ଗତକାଲି ଅପରାହ୍ନ ଗୋଟାଏ ବେଳେ ତା’ର ଜ୍ୱର ଛାଡ଼ିଗଲା।” 53କର୍ମଚାରୀଙ୍କ ମନେ ପଡ଼ିଲା, ଠିକ୍ ସେତିକିବେଳେ ଯୀଶୁ କହିଥିଲେ “ତୁମର ପୁତ୍ର ବଞ୍ଚିବ।” ଏ ଘଟଣା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ଯୀଶୁଙ୍କୁ ବିଶ୍ୱାସ କଲେ।
54ଯୀଶୁ ଗାଲିଲୀକୁ ଆସିବା ପରେ, ଏହା ହେଉଛି ତାଙ୍କର ଦ୍ୱିତୀୟ ଅଲୌକିକ କାର୍ଯ୍ୟ।
Nke Ahọpụtara Ugbu A:
ଯୋହନ 4: ODCLBSI
Mee ka ọ bụrụ isi
Kesaa
Mapịa

Ịchọrọ ka echekwaara gị ihe ndị gasị ị mere ka ha pụta ìhè ná ngwaọrụ gị niile? Debanye aha gị ma ọ bụ mee mbanye
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.