ଲୂକ 17
17
ପାପ
(ମାଥିଉ ୧୮:୬-୭,୨୧-୨୨; ମାର୍କ ୯:୪୨)
1ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେଉଁସବୁ ପରୀକ୍ଷା ଦ୍ୱାରା ମନୁଷ୍ୟ ପାପରେ ପଡ଼େ, ସେସବୁ ନିଶ୍ଚୟ ଆସିବ; କିନ୍ତୁ ଯେ ଏ ସବୁର କାରଣ ହୁଏ, ତାହାର ଶେଷ ଦଶା କେଡ଼େ ଭୟଙ୍କର। 2ଏହି ନିରୀହମାନଙ୍କୁ ପାପରେ ପକାଇବା ଅପେକ୍ଷା ତା’ ବେକରେ ଚକି ବନ୍ଧା ଯାଇ ତାକୁ ସମୁଦ୍ରରେ ପକାଇ ଦେବା ବରଂ ତା’ ପାଇଁ ଶ୍ରେୟସ୍କର ହେବ। 3ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ସତର୍କ ହୁଅ।
“ଯଦି ତୁମର ଭାଇ ପାପ କରେ, ତାକୁ ଅନୁଯୋଗ କର ଏବଂ ସେ ଯଦି ଅନୁତାପ କରେ, ତାକୁ କ୍ଷମା ଦିଅ।#ମାଥିଉ ୧୮:୧୫। 4ଯଦି ସେ ଦିନ ମଧ୍ୟରେ ତୁମ ବିରୁଦ୍ଧରେ ସାତଥର ପାପ କରେ ଓ ପ୍ରତ୍ୟେକ ଥର ଆସି ତୁମକୁ କହେ, ‘ମୁଁ ଅନୁତାପ କରୁଛି’, ତେବେ ସୁଦ୍ଧା ତୁମେ ତାକୁ କ୍ଷମା ଦେବା ବିଧେୟ।”
ବିଶ୍ୱାସ
5ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।”
6ପ୍ରଭୁ ଉତ୍ତର ଦେଲେ, “ଯଦି ତୁମ୍ଭମାନଙ୍କ ବିଶ୍ୱାସ ଗୋଟିଏ ସୋରିଷ ମଞ୍ଜି ପରିମାଣରେ ଥାଏ ଏବଂ ତୁମ୍ଭେମାନେ ଏହି ତୁତ୍କୋଳି ଗଛକୁ କୁହ, ‘ମୂଳ ସହିତ ଉପୁଡ଼ି ଯାଇ ସମୁଦ୍ରରେ ପୋତି ହୋଇଯା!’ ତେବେ ସେ ତାହା କରିବ।”
ଦାସର କର୍ତ୍ତବ୍ୟ
7“ମନେକର, ତୁମ ମଧ୍ୟରୁ ଜଣକର ଦାସ ହଳ କରୁଛି କିମ୍ବା ମେଣ୍ଢା ଜଗୁଛି। ଯେତେବେଳେ ସେ କ୍ଷେତରୁ ଫେରି ଆସେ, ତୁମେ ତାକୁ ସଙ୍ଗେ ସଙ୍ଗେ ଖାଇ ବସିବାକୁ କହିଥାଅ କି? 8ଅବଶ୍ୟ ନୁହେଁ! ବରଂ ତୁମେ ତାକୁ କହିଥାଅ, ‘ମୋର ଭୋଜନ ପ୍ରସ୍ତୁତ କର; ମୋର ଖାଇବା ସମୟରେ ଅଣ୍ଟା ବାନ୍ଧି ମୋ’ କଥା ବୁଝ। ତା’ପରେ ତୁ ଖାଇବୁ।’ 9ତୁମର ଆଦେଶ ପାଳନ କରିବାରୁ ଚାକର ଧନ୍ୟବାଦ ସୁଦ୍ଧା ପାଏ ନାହିଁ। 10ତୁମ୍ଭମାନଙ୍କ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ। ତୁମ୍ଭେମାନେ ଆଦେଶ ପାଳନ କରିବା ପରେ ଏହି କଥା କହିବା ଉଚିତ, ‘ଆମେ କେବଳ ଦାସ; ଆମେ ଆମର କର୍ତ୍ତବ୍ୟ ପାଳନ କରିଛୁ ମାତ୍ର’।”
ଯୀଶୁ ଦଶ ଜଣ କୁଷ୍ଠ ରୋଗୀକୁ ସୁସ୍ଥ କଲେ
11ଯୀଶୁ ଯିରୁଶାଲମ ଯିବା ବାଟରେ ଶମିରୋଣ ଓ ଗାଲିଲୀର ସୀମା ମଧ୍ୟ ଦେଇ ଗଲେ। 12ସେ ଗୋଟିଏ ଗ୍ରାମକୁ ଯିବା ସମୟରେ ଦଶ ଜଣ କୁଷ୍ଠ ରୋଗୀ ଭେଟିଲେ। ସେମାନେ ଅଳ୍ପ ଦୂରରେ ଠିଆ ହୋଇ ଚିକ୍ରାର କଲେ, 13“ଯୀଶୁ! ହେ ଗୁରୁ! ଆମକୁ ଦୟା କରନ୍ତୁ।”
14ଯୀଶୁ ସେମାନଙ୍କୁ ଦେଖି କହିଲେ, “ଯାଅ, ତୁମର ଯାଜକ ତୁମମାନଙ୍କୁ ପରୀକ୍ଷା କରି ଦେଖନ୍ତୁ।” #ଲେବୀ ୧୪:୧-୩୨।
ବାଟରେ ଯାଉଁ ଯାଉଁ ସେମାନେ ସୁସ୍ଥ ହେଲେ। 15ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହେବାର ଦେଖି ଉଚ୍ଚ ସ୍ୱରରେ ଈଶ୍ୱରଙ୍କ ପ୍ରଶଂସା କରି କରି ଫେରି ଆସିଲା। 16ସେ ଯୀଶୁଙ୍କ ପାଦ ତଳେ ଭୂଇଁରେ ପଡ଼ି ତାଙ୍କୁ ଧନ୍ୟବାଦ ଦେଲା। ସେ ଜଣେ ଶମିରୋଣୀୟ ଲୋକ ଥିଲା। 17ଯୀଶୁ କହିଲେ, “ଦଶ ଜଣ ସୁସ୍ଥ ହେଲେ; ଆଉ ନଅ ଜଣ କାହାନ୍ତି? 18କାହିଁକି କେବଳ ଏହି ବିଦେଶୀୟ ଲୋକଟି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଫେରି ଆସିଲା?” 19ପୁଣି ଯୀଶୁ ତାକୁ କହିଲେ, “ଉଠ୍ - ଯା, ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି।”
ଈଶ୍ୱରଙ୍କ ରାଜ୍ୟର ଆଗମନ
(ମାଥିଉ ୨୪:୨୩-୨୮,୩୭-୪୧)
20କେତେକ ଫାରୁଶୀ ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ବୋଲି ଯୀଶୁଙ୍କୁ ପଚାରିଲେ। ସେ ଉତ୍ତର ଦେଲେ, “ଦୃଶ୍ୟମାନଭାବେ ଈଶ୍ୱରଙ୍କ ରାଜ୍ୟ ଆସେ ନାହିଁ। 21କେହି କହି ପାରିବେ ନାହିଁ, ‘ଦେଖ, ତାହା ଏଠାରେ ଅଛି, ଅବା ‘ସେଠାରେ ଅଛି।’ ଈଶ୍ୱରଙ୍କ ରାଜ୍ୟର ପ୍ରତିଷ୍ଠା ତୁମ ହୃଦୟରେ ହୁଏ।”
22ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ସମୟ ଆସିବ, ଯେତେବେଳେ ତୁମେ ମନୁଷ୍ୟପୁତ୍ରଙ୍କ ସମୟର ଅନ୍ତତଃ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖି ପାରିବ ନାହିଁ। 23ଲୋକେ ତୁମ୍ଭମାନଙ୍କୁ କହିବେ, ‘ସେଠାରେ ଦେଖ’ ଅବା ‘ଏଠାରେ ଦେଖ।’ କିନ୍ତୁ ଏହା ଖୋଜିବା ପାଇଁ ବାହାରକୁ ଯାଅ ନାହିଁ। 24ବିଜୁଳି ଯେପରି ଆକାଶରେ ତା’ର ଝଲକ ଦେଖାଏ ଓ ଆକାଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆଲୋକ ଖେଳାଇ ଦିଏ, ମନୁଷ୍ୟପୁତ୍ର ସେହି ଦିନ ସେହିପରି ଦେଖାଦେବେ। 25କିନ୍ତୁ ପ୍ରଥମେ ସେ ବହୁତ ଦୁଃଖ ଭୋଗ କରିବେ ଓ ଏହି ଯୁଗର ଲୋକମାନେ ତାଙ୍କୁ ଅଗ୍ରାହ୍ୟ କରିବେ। 26ନୋହଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ଦିନରେ ସେପରି ଘଟିବ।#ଆଦି. ୬:୫-୮। 27ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନ, ପାନ ଓ ବିବାହ କରିବାରେ ଏବଂ ବିବାହ ଦେବାରେ ଲାଗି ଥିଲେ। ଅନନ୍ତର ଜଳ ପ୍ଲାବନ ହେଲା ଓ ସମସ୍ତେ ବିନଷ୍ଟ ହେଲେ।#ଆଦି. ୭:୬-୨୪। 28ଲୋଟଙ୍କ ସମୟରେ ଯେପରି ଘଟିଥିଲା, ସେପରି ଘଟିବ। ସେତେବେଳେ ଲୋକେ ଭୋଜନ ପାନ, କିଣାବିକା, ବୃକ୍ଷ ରୋପଣ ଓ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିଲେ।#ଆଦି. ୧୮:୨୦—୧୯:୨୫। 29ଯେଉଁ ଦିନ ଲୋଟ ସଦୋମ ପରିତ୍ୟାଗ କଲେ, ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା। 30ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେପରି ଘଟିବ।
31“ସେଦିନ ଯେଉଁ ଲୋକ ଛାତ ଉପରେ ଥିବ, ସେ ଘରୁ ତା’ର ଜିନିଷପତ୍ର ଆଣିବା ପାଇଁ ତଳକୁ ଓହ୍ଲାଇ ନ ଯାଉ। ସେହିପରି ଯେଉଁ ଲୋକ କ୍ଷେତରେ ଥାଏ, ସେ ଘରକୁ ଫେରି ନ ଆସୁ। 32ଲୋଟଙ୍କ ସ୍ତ୍ରୀ କଥା ଭାବି ଦେଖ! 33ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ଯେ ନିଜର ଜୀବନ ଉତ୍ସର୍ଗ କରିଦିଏ, ସେ ତାହା ସୁରକ୍ଷା କରିବ।#ମାଥିଉ ୧୦:୩୯; ୧୬:୨୫; ମାର୍କ ୮:୩୫; ଲୂକ ୯:୨୪; ଯୋହନ ୧୨:୨୫। 34ମୁଁ କହୁଛି, ସେହି ରାତ୍ରିରେ ଗୋଟିଏ ଶଯ୍ୟାରେ ଦୁଇ ଜଣ ଶୋଇଥିବେ; ଜଣକୁ ଗ୍ରହଣ କରି ନିଆଯିବ ଓ ଅନ୍ୟ ଜଣକ ପରିତ୍ୟକ୍ତ ହେବ। 35ଦୁଇ ଜଣ ସ୍ତ୍ରୀ ଲୋକ ଚକି ପେଷୁଥିବେ; ଜଣକୁ ଗ୍ରହଣ କରି ନିଆଯିବ, ଆଉ ଅନ୍ୟ ଜଣକ ପରିତ୍ୟକ୍ତ ହେବ। 36ଦୁଇ ଜଣ କ୍ଷେତରେ ଥିବାବେଳେ ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।”
37ଶିଷ୍ୟମାନେ ତାଙ୍କୁ ପଚାରିଲେ, “ପ୍ରଭୁ କେଉଁଠାରେ?”
ଯୀଶୁ ଉତ୍ତର ଦେଲେ, “ଶବ ପଡ଼ିଥିବା ସ୍ଥାନରେ ହଠାତ୍ ଶାଗୁଣାମାନେ ଆସି ଜମାହୋଇ ଯା’ନ୍ତି।”
Nke Ahọpụtara Ugbu A:
ଲୂକ 17: ODCLBSI
Mee ka ọ bụrụ isi
Kesaa
Mapịa
Ịchọrọ ka echekwaara gị ihe ndị gasị ị mere ka ha pụta ìhè ná ngwaọrụ gị niile? Debanye aha gị ma ọ bụ mee mbanye
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.